
ବଲାଙ୍ଗିର, (କେପିଏନ୍ଏସ୍) : ଇଲେକ୍ସନ୍ ଡ୍ୟୁଟିରେ ଆସିଥିବା ଡ୍ରାଇଭରମାନେ ଅବ୍ୟବସ୍ଥା ଅଭିଯୋଗରେ ବଲାଙ୍ଗିର ମନୋହରପୁରରେ ଧାରଣାରେ ବସିଥିବା ବେଳେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଘଟଣା ସ୍ଥଳରେ ପହଂଚି ଡ୍ରାଇଭରମାନଙ୍କ ସହ ଆଲୋଚନା କରିବା ପରେ ଡ୍ରାଇଭରମାନେ ଧାରଣାରୁ ଓହରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ୧୩ ତାରିଖରୁ ଡ୍ରାଇଭରମାନେ ଇଲେକ୍ସନ୍ ଡ୍ୟୁଟିରେ ଆସିଥିବା ବେଳେ ଡ୍ରାଇଭରଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ଖାଦ୍ୟ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇ ନଥିଲା । ଏଥିପାଇଁ ଆଜି ସେମାନେ ଧାରଣାରେ ବସିଥିଲେ । ଖବର ପାଇ ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଡ୍ରାଇଭର୍ମାନଙ୍କ ସହ ଆଲୋଚନା କରି ଆର୍ଟିଓଙ୍କ ସହ କଥାବାର୍ତ୍ତା କରିଥିଲେ । ଡ୍ରାଇଭର୍ମାନଙ୍କୁ ଫୁଡ଼ିଂ ପାଇଁ ପ୍ରତ୍ୟହ ୫ ଶହ ଟଙ୍କା ଲେଖାଏଁ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ଧାରଣାରୁ ଓହରିଛନ୍ତି ଆନ୍ଦୋଳନର ଡ୍ରାଇଭରମାନେ ।