
କୋରାପୁଟ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଶାବର ଶ୍ରୀକ୍ଷେତ୍ର’ କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହେବା ସହ ଶ୍ରଦ୍ଧାଳୁଙ୍କ ସହ ରଥ ଟାଣିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ‘ଶାବର ଶ୍ରୀକ୍ଷେତ୍ର’ କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହେବା ମୋର ସୌଭାଗ୍ୟ । ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଓଡ଼ିଆ ସଂସ୍କୃତିର ଅନନ୍ୟ ପର୍ବ । ଚତୁର୍ଦ୍ଧାମୂରତି ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବାର ଅନନ୍ୟ ପରମ୍ପରାର ପ୍ରତୀକ ହେଉଛି ବାହୁଡ଼ା ଯାତ୍ରା । ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଜନଜାତିଙ୍କ ଅନନ୍ୟ ସମ୍ପର୍କ ରହିଛି । ଆଜି ବାହୁଡ଼ା ଯାତ୍ରାର ଶୁଭ ଅବସରରେ ମହାପ୍ରଭୁଙ୍କ ରଥ ଟାଣି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ମାନବୀୟ ଲୀଳାର ମହାନ ବାର୍ତ୍ତା ଅଧିକ ସୁଦୂରପ୍ରସାର ହେଉ ବୋଲି ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଏହା ପୂର୍ବରୁ ଶ୍ରୀ ପ୍ରଧାନ ସେମିଳିଗୁଡ଼ା ସ୍ଥିତ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେହିପରି ସକାଳେ କୋରାପୁଟରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଦାମନଯୋଡି ସ୍ଥିତ ମା’ କଣ୍ଟାବାଉଁଶୁଣିଙ୍କ ଦର୍ଶନ କରିଥିଲେ ।