ମୁରିବାହାଲ ସପ୍ତମ ବର୍ଷ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ସପ୍ତମ ବର୍ଷ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜକ ମହୋତ୍ସବ କମିଟି ସଭାପତି ତରୁଣ ପୋଡ଼ଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ଚଳିତ ବର୍ଷ ମଧ୍ୟ ମହାରାଜ କଂସ ଭୂମିକାରେ ପୁଣି ଅଭିନୟ କରୁଥିବା ଲାଠୋର ଗ୍ରାମର ଆର୍ତ୍ତତ୍ରାଣ ସୁନାନୀଙ୍କୁ ତାଙ୍କ ଘରେ ସ୍ଵତନ୍ତ୍ର ରୂପେ ବରଣ ସହ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କ ସହିତ ଥିବା ଆଉ ଜଣେ କଳାକାରଙ୍କୁ ମଧ୍ୟ ବରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆୟୋଜକ କମିଟି ଉପଦେଷ୍ଟା ମଧୁସୂଦନ ନାଗ, କବିରାଜ ବାଗ,ପରିଚାଳନା କମିଟି ସଦସ୍ୟ ହୃଦାନନ୍ଦ ସାହୁ, ସୁଦର୍ଶନ ଖର୍ସେଲ ଓ ଲିକୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମୁରିବାହାଲ ଧନୁଯାତ୍ରା ପଡିଆରେ ଅନୁଷ୍ଠିତ ସାତ ଦିନ ବ୍ୟାପୀ ବିରାଟ ଧନୁଯାତ୍ରା ମହୋତ୍ସବରେ ମୁରିବାହାଲ ଗ୍ରାମ ମଥୁରାନଗରୀ ଓ ପାଖ ବନବାହାଲ ଗ୍ରାମ ଗୋପପୁର ପାଲଟିବ । ୧୭ ତାରିଖ ଉଦଘାଟନୀଠାରୁ ପ୍ରତ୍ୟହ ସନ୍ଧ୍ୟାରେ ମଥୁରା ନରେଶ ମହାରାଜ କଂସଙ୍କ ରାଜଦରବାର ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଦିବସରେ ଦ୍ରୁର୍ମିଳାସୁର ବଧ, ନାରଦ କଂସଙ୍କ ସମ୍ବାଦ, ଦେବକୀ ବିବାହ, କଂସ ମହାରାଜାଙ୍କ ସିଂହାସନ ଆରୋହଣ, ଦେବକୀଙ୍କ ଷଡ଼ପୁତ୍ର ବିନାଶ, ସ୍ୱର୍ଗପୁର ଆକ୍ରମଣ, କଂସ ମହାରାଜଙ୍କ ନଗର ପରିକ୍ରମା, ଶ୍ରୀକୃଷ୍ଣ ଜନ୍ମ, ପୁତନା ପ୍ରେରଣ, ଷଢ଼ମଲ୍ଲ ବିନାଶ, ମଗଧ ନଗରୀ ଆକ୍ରମଣ, କଂସ ମହାରାଜଙ୍କ ବିବାହ ଓ କାଳୀୟ ଦଳନ, ନନ୍ଦ ଉତ୍ସବ, ରଙ୍ଗସଭା, ଅକ୍ରୁର ପ୍ରେରଣ, ଯମ ଦରବାର, ଗୋପପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଶେଷ ରଜନୀରେ କୃଷ୍ଣ ବଳରାମଙ୍କ ହାତରେ ମହାରାଜ କଂସଙ୍କ ନିଧନ ମଞ୍ଚସ୍ଥ ହେବ ବୋଲି ଜଣାପଡିଛି । ପ୍ରତ୍ୟେକ ଦିନ ଅଞ୍ଚଳର ବିଭିନ୍ନ ପ୍ରତିଭାମାନଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ଓ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ମୀନାବଜାର ଆଦି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆୟୋଜକ କମିଟି ପକ୍ଷରୁ ଧନୁଯାତ୍ରା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜୋରସୋରରେ ଚାଲିଥିବା କମିଟି ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.