jayashree

ଦେଓଗାଁ ବ୍ଲକରେ ଧାନ କିଣା ଆରମ୍ଭରୁ ଅଚଳାବସ୍ଥା : ୫ଟି ପେକ୍ସରେ ପଡ଼ିରହିଛି ୭ ହଜାର ବସ୍ତା ଧାନ

  • ଏଫ୍ଏକ୍ୟୁ ନାମରେ ହେଉଛି ଚାଷୀ ଶୋଷଣ
  • କ୍ବିଣ୍ଟାଲ ପ୍ରତି ଚାଳିଛି ୫କେଜି କଟ୍‌ନୀ
  • ଖତ ଖାଉଛି ସରଞ୍ଜାମ, ମିଲ୍‌ରେ ହେଉଛି ମାନ ନିର୍ଦ୍ଧାରଣ

ଦେଓଗାଁ, (ମନୀଷ କୁମାର ସାହୁ) : ସରକାରୀ ନିଷ୍ପତ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଗତ ୨୯ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି । ହେଲେ ଦେଓଗାଁ ବ୍ଲକରେ ମଣ୍ଡି ଆରମ୍ଭ ହେବାର ୧୫ଦିନ ବିତି ଯାଇଥିଲେ ମଧ୍ୟ ଠିକ ଭାବେ ଚାଲିପାରୁନି ମଣ୍ଡି । କଟନୀ ଜିଦ୍‌ରେ ମିଲର୍‌ ଅଟଳ ରହୁଥିବା ବେଳେ ଚାଷୀଙ୍କୁ ଘାରିଛି ଟୋକନ ଲେପ୍ସ ହେବାର ଭୟ । ପେକ୍ସକୁ ଅଖା ବସ୍ତା ବଦଳରେ ପ୍ଲାଷ୍ଟିକ ବସ୍ତାରେ ଧାନ ନେଲେ ମିଲର୍‌ କିଣିବା ପାଇଁ ନାରାଜ ହେଉଥିବାର ଦେଖାଦେଇଛି । ଦେଓଗାଁ, ଜରାସିଂହା, କୁତୁର୍ଲା ପେକ୍ସରେ ଓଜନ ନ ହୋଇ ସିଧାସଲଖ ମିଲ୍‌କୁ ଯାଇ ଓଜନ ହେବା ପରେ ଧାନର ମାନ ନିର୍ଧାରଣ ହେଉଥିବାରୁ ସରକାରୀ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସଷ୍ଟି ହେଉଛି । ଏଭଳି କି ମିଲ୍‌ ଭିତରକୁ ଧାନ ନେବା ପରେ ମିଲର୍‌ମାନେ ବାଧ୍ୟତାମୂଳକ ଭାବେ ୫ରୁ ୭କେଜି କଟନୀ କରି ଏଫ୍‌ଏକ୍ୟୁ ମାନର ଧାନ କିଣାଯାଉଛି ବୋଲି ରିପୋର୍ଟ ଦେଉଛନ୍ତି । ଯେଉଁ ପେକ୍ସରୁ ଧାନ ମିଲର୍‌ ନିଜ ଗାଡ଼ିରେ ନ ନେଇ ଚାଷୀ ଆଣିଥିବା ଗାଡ଼ିରେ ସିଧାସଳଖ ମିଲକୁ ନେଉଛି ସେହି ପେକ୍ସରେ ଗାଡ଼ିଭଡ଼ା ବାବଦରେ ଆସୁଥିବା ଟଙ୍କା ଚାଷୀ କିଭଳି ପାଇବ, ତାକୁ ନେଇ ସନ୍ଦେହ ଦେଖାଦେଇଛି ।

ଦେଓଗାଁ ବ୍ଲକର ୧୨ଟି ପେକ୍ସ ମଧ୍ୟରୁ ଧଣ୍ଡାମାଲ ପେକ୍ସରେ ମାତ୍ର ୭୪ କ୍ବିଣ୍ଟାଲ ଧାନ କିଣାଯାଇଥିବା ବେଳେ ଜରାସିଂହା ପେକ୍ସରେ ୧୨ଜଣ ଚାଷୀଙ୍କ ଠାରୁ ୧୩୧୬.୫୮କ୍ବିଣ୍ଟାଲ ଧାନ କିଣାଯାଇଛି । ସେହିଭଳି ଦେଓଗାଁ ପେକ୍ସରେ ୧୮ଜଣ ଚାଷୀ ଠାରୁ ୭୨୯.୯୭କ୍ବିଣ୍ଟାଲ, ବନ୍ଧପଡ଼ାରେ ୧୪୨କ୍ବିଣ୍ଟାଲ, ବଡ଼ବନ୍ଧରେ ୧୩ଜଣ ଚାଷୀଙ୍କ ଠାରୁ ୨୬୨କ୍ବିଣ୍ଟାଲ ଧାନ କିଣା ଯାଇଥିବା ବେଳେ ଅଧିକ ଧାନ ଅମଳ ହେଉଥିବା ପଞ୍ଚାୟତ ଅଜୁର୍ନପୁର ପେକ୍ସରେ ୩୧ଜଣ ଚାଷୀଙ୍କ ୨୮୮୯ପ୍ୟାକେଟ ଧାନ, ଗୌଡ଼ଗୋଠରେ ୭ଜଣ ଚାଷୀଙ୍କ ପ୍ରାୟ ଏକହଜାର ପ୍ୟାକେଟ ଧାନ, ରାମଚନ୍ଦ୍ରପୁରରେ ୭୦୦ପ୍ୟାକେଟ, ବନ୍ଧପଡ଼ାରେ ୪୫୦, ବଡ଼ବନ୍ଧରେ ୫୨୬, ସାରସମାଲରେ ୭୬୬ ପ୍ୟାକେଟ, ମହଲାଇରେ ୮ଶହ ପ୍ୟାକେଟ ଧାନ ମୋଟ ଭାବେ ୬ଟି ପେକ୍ସରେ ମୋଟ ୭୧୩୧ପ୍ୟାକେଟ ଧାନ ମଣ୍ଟିରେ ପଡ଼ି ରହିଥିଲେ ମଧ୍ୟ ଏହି ପେକ୍ସଗୁଡ଼ିକରୁ ଧାନ କିଣିବାକୁ ଅନୁମତି ପାଇଥିବା ସମଲେଶ୍ବରୀ ପେଡ଼ି ପ୍ରୋସେସିଙ୍ଗ, ଶ୍ରୀଗଣେଶ, ବିକାଶ ରାଇସମିଲ, ଜୟ ହନୁମାନ, ଆଦିଶକ୍ତି, ସିଦ୍ଧି ବିନାୟକ, ସନ୍ତୋଷ ରାଇସ ମିଲ କଟନୀ ଜିଦ୍‌ରେ ରହି ପେକ୍ସକୁ ବସ୍ତା ଦେଉନାହାନ୍ତି କି ଧାନ ଉଠାଇବା ପାଇଁ ଆସୁନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି ।

Leave A Reply

Your email address will not be published.