ମାଲକାନଗିରି : ମାଲକାନଗିରି ଜିଲ୍ଲା କାମବେଡା ନିକଟରେ ଏକ ଧାନ ବୋଝେଇ ଟ୍ରକ ଓଲଟି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହେବା ସହ ଆଉ ୨ଜଣ ଆହତ ହୋଇଛନ୍ତି । ସୂଚନା ଆଧାରରେ ଗତକାଲି ସନ୍ଧ୍ୟାରେ ତାଣ୍ଡିକିଗୁଡା ଗ୍ରାମରୁ ଧାନ ବୋଝେଇ ଟ୍ରକ ଏମଭି ୨୯ ଗ୍ରାମ ଅଭିମୁଖେ ଯାଉଥିବା ବେଳେ କାମବେଢ଼ା କେନାଲ ଛକ ନିକଟରେ ଟ୍ରକ୍ଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଟ୍ରକରେ ଥିବା ୪ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ପିଣ୍ଡିକୋଣ୍ଡା ଗ୍ରାମର ରାମା ପଡ଼ିଆମୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ ରମାକାନ୍ତ ପଡ଼ିଆମୀ ଓ ଗ୍ରାମବାସୀ ମାନେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେଇଥିଲେ । କାମବେଢ଼ା ଗ୍ରାମର ମୁକାମାଡ଼କାମୀଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣ ଶରତ ପଡ଼ିଆମୀ ଓ ନବୀନ ପଡ଼ିଆମୀ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ।
Prev Post