ଚାଷୀ ମୁଣ୍ଡରେ ଚଡକ, ମଣ୍ଡିରେ ପଡିଛି ହଜାର ହାଜର ବସ୍ତା ଧାନ : ପ୍ରଶାସନ ନିଦାବିଷ୍ଣୁ, ଧାନ ଅଛି ହେଲେ ଟୋକନ ନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଗତ କିଛି ମାସ ହେଲା ଧାନ କିଣା ଆରମ୍ଭ ହୋଇଯାଇଛି, ହେଲେ ବର୍ତମାନ ଚାଷୀ ମୁଣ୍ଡରେ ଚଡକ ପଡ଼ିଛି । ପ୍ରତ୍ୟେକ ପେକ୍ସ ଓ ଏସଏଚଜିରେ ହଜାର ହଜାର ଧାନ ପଡି ରହିଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଦେଖିବାକୁ ମିିଳିଛି । ବର୍ତମାନ ଚାଷୀଙ୍କୁ ଘାରୁଛି ଟୋକନ ଚିନ୍ତା । କାରଣ ଚାଷୀଙ୍କ ପାଖରେ ଧାନ ରହିଛି, ଅଥଚ ଟୋକନ ଆସିନାହିଁ । ଏଥିପାଇଁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଯୋଗାଣ ଅଧିକାରୀ ନଳିନୀକାନ୍ତ ପାଲଙ୍କୁ ଚାଷୀଙ୍କ ଧାନ ବିକ୍ରି କରିବା ପାଇଁ ଟୋକନ କାହିଁକି ଆସୁ ନାହିଁ ବୋଲି ପଚାରିଲେ ମୁଁ କିଛି ଜାଣି ନାହିଁ, ତୁମେ ମତେ କାହିଁକି ପଚାରୁଛ ବୋଲି ଓଲଟା ପ୍ରଶ୍ନ କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ଜଣେ ଯୋଗାଣ ଅଧିକାରୀ କିଛି ଜାଣି ପାରୁନାହାନ୍ତି, ତ’ ଆଉ ଜାଣିବ କିଏ? ଅପର ପକ୍ଷରେ ଚାଷୀଙ୍କୁ ଏବେ ସରକାର ହଇରାଣ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ସବୁ ଯାକ ଦଲାଲଙ୍କ ଧାନ ମିଲର ପାଖରେ ଭର୍ତ୍ତି ହୋଇଥିବା ବେଳେ ଏବେ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି । କେତେ ଜଣ ପେକ୍ସ ସମ୍ପାଦକ ମାନେ ନିଜ ନିଜ ସମ୍ପର୍କୀୟ ଲୋକଙ୍କ ଧାନକୁ ଏନଟ୍ରି କରି ଦେଇଥିବା ବେଳେ ନିରୀହ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଖବର ଅନୁସାରେ ଏବେ ସଇଁନ୍ତଲା ବ୍ଲକର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ୍‌ ମାତ୍ରାରେ ଧାନ ପଡି ରହିଛି । ପ୍ରଶାସନ ନାମକୁ ମାତ୍ର ତଦନ୍ତ କରୁଛି । କିନ୍ତୁ ସବୁ ସଲାସୁତୁରା ଥିବା ମଧ୍ୟ ଅଭିଯୋଗ ହେଉଛି । ଅନ୍ୟପଟେ କଟନି ଛଟନିକୁ ନେଇ ପ୍ରଥମ ଦିନରୁ ବାବ ବିବାଦ ସୃଷ୍ଟି ହେଉଛି, ହେଲେ ପ୍ରତ୍ୟେକ କ୍ୱିଂଟାଲ୍‌ ପିଛା ୬ରୁ ୮ କେଜି କଟାଯାଉଥିବା ଚାଷୀ ଅଭିଯୋଗ କରି ଆସୁଛନ୍ତି । କିନ୍ତୁ ତାଙ୍କ ଅଭିଯୋଗ ଯେମିତି କାହାର ବି କାନକୁ ଶୁଭୁନି, ସେଭଳି ଅବସ୍ଥା ଦେଖିବାକୁ ମିଳୁଛି । କଟନି ଛଟନି ଧାନରୁ କିଏ କେତେ କେଜିର ଭାଗବଣ୍ଟା ପାଇବେ ଉପରୁ ତଳ ପାହ୍ୟା ଯାଏଁ ତା’ର ବି ହିସାବ ବାଟରେ ଘାଟରେ ଆଲୋଚନା ହେଉଛି । ତେବେ ଜିଲ୍ଲା ପ୍ରଶାସନ ଏସବୁ ଅବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଇ ଧାନ ନିରୀହ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.