jayashree

ଜଟେସିଂଘା ମଣ୍ଡିରୁ ୧୫ଦିନ ହେଲା ଧାନ ଉଠୁନଥିବାରୁୁ ଉତ୍ତେଜନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂଘା ମଣ୍ଡିରେ ପ୍ରାୟ ୬ହଜାର ବସ୍ତା ଧାନ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଧାନ ଉଠୁନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ ମଣ୍ଡିରେ ଧାନ ଉଠାଇବା ପାଇଁ ପ୍ରାୟ ୧୦ଟି ମିଲର୍ସଙ୍କୁ ଅନୁମତି ଦିଆଯାଇଥିଲା । ହେଲେ ଚନ୍ଦ୍ରମା ମିଲର୍ସର ୬ଶହ କ୍ୱିଣ୍ଟାଲ, ଜଗଦମ୍ବା ମିଲର୍ସ ୧୫ଶହ କ୍ୱିଣ୍ଟାଲ, ଜୟଲକ୍ଷ୍ମୀ ଫୁଡ଼୍‌ ପ୍ରସେସିଂର ୫ଶହ କ୍ୱିଣ୍ଟାଲ, ଶିବଶକ୍ତି ମିଲର୍ସର ୫ଶହ କ୍ୱିଣ୍ଟାଲ ଓ ମା’ ବ୍ରାହ୍ମଣୀ ମିଲର୍ସ ଦ୍ୱାରା ୨୯୬୬ କ୍ୱିଣ୍ଟାଲ ଧାନ ଉଠୁନଥିବା ଅଭିଯୋଗ ହୋଇଛି । ଟାର୍ଗେଟ ଥିଲେ ମଧ୍ୟ ମିଲର୍ସ ମାନଙ୍କ ମନମାନି ଯୋଗୁଁ ୧୩୦ଜଣ ଚାଷୀଙ୍କ ଧାନ ଉଠୁ ନଥିବା ଅଭିଯୋଗ ହେଉଛି । ମଣ୍ଡିରୁ ଧାନ ଉଠୁ ନଥିବା ଖବର ଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ଥିବା ବେଳେ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ସ୍ଥାନୀୟ ତହସିଲଦାର ବିବୁଥ ଗଡ଼ନାୟକ, ସହକାରୀ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ସହକାରୀ ଉପନିବନ୍ଧକ ଗଜେନ୍ଦ୍ର ପଣ୍ଡା, ଆର୍‌ଏମ୍‌ସି ସମ୍ପାଦକ କାର୍ତ୍ତିକ ନାୟକ ଓ ବ୍ଲକ ଯୋଗାଣ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ ପ୍ରମୁଖ ଉକ୍ତ ମଣ୍ଡିକୁ ଯାଇ ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ଚାଷୀ ବିନା କଟ୍‌ନି ଛଟନିରେ ମଣ୍ଡିରୁ ଧାନ ଉଠାଇବାକୁ ଦାବୀ କରିଥିବା ବେଳେ ଅଧିକାରୀମାନେ ମଣ୍ଡିରୁ ଧାନ ଉଠିବାର ପ୍ରତିଶ୍ରୁତି ଦେଇଥିଲେ । ଏନେଇ ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ରାଉତଙ୍କୁ ପଚାରିବାରୁ ମଣ୍ଡି ବନ୍ଦ ହେବାର ସମୟ ହୋଇ ଆସୁଥିବାରୁ ମଣ୍ଡିକୁ ଗାଡ଼ି ଆସି ଧାନ ଉଠିବାର ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ ।

Leave A Reply

Your email address will not be published.