ଡବଲ୍‌ ଇଂଜିନ୍‌ ସରକାରଙ୍କ ବୋବାଲ୍‌ ଧମାକା

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେଲା ଡବଲ୍‌ ଇଂଜିନ୍‌ ସରକାର । ଓଡ଼ିଶା ମାଟିରେ ଆରମ୍ଭ ହେଲା ଏକ ଐତିହାସିକ ଅଧ୍ୟାୟ । ଗତକାଲି ଅପରାହ୍ନରେ ଭୁବନେଶ୍ୱର ଜନତା ମଇଦାନରେ ବିଜେପିର ୧୬ ଜଣିଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଡ.ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା ଓ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଗଣେଶରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସଂପଦ କୁମାର ସ୍ୱାଇଁ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ପରେ ପରେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ରେ ୪ଟି ବଡ଼ ନିଷ୍ପତ୍ତି ନିଆଯାଇଛି । ‘ସମୃଦ୍ଧ କୃଷକ ନୀତି’ରେ ଚାଷୀଙ୍କ ଠୁ ୩୧୦୦ ଟଙ୍କାରେ ଧାନ କିଣିବେ ସରକାର । ‘ସୁଭଦ୍ରା’ ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ମାଗଣା ଭାଉଚର ପ୍ରଦାନ କରିବେ । ଶ୍ରୀମନ୍ଦିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ୫ଶହ କୋଟିର କର୍ପସ୍‌ ପାଣ୍ଠି ପ୍ରଦାନ କରାଯିବ । ଆଗାମୀ ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ ସମସ୍ତ ସଂକଳ୍ପ ବୋଲି ମଧ୍ୟ କୁହାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଉପସ୍ଥିତିରେ ମଙ୍ଗଳ ଆଳତି ପରେ ପରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଛି । ତେବେ ଡବଲ୍‌ ଇଂଜିନ୍‌ ସରକାରଙ୍କ ବୋବାଲ୍‌ ଧମାକା ଆଜି ଦେଖିବାକୁ ମିଳିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.