ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘର ଭାଙ୍ଗିଲେ : ପରିବାରକୁ ଗାଁରୁ ବାଛନ୍ଦ ସହ ମାରିବାକୁ ଧମକ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସଂଘବଦ୍ଧ ଭାବେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ରାତି ଅଧରେ ଗୋଟିଏ ପରିବାରକୁ ଘରୁ ତଢ଼ିବା ସହ ନିର୍ମାଣାଧିନ ଗୋଟିଏ ଘରକୁ ଭାଙ୍ଗିଲେ ଦୁର୍ବୃତ୍ତ । ବେସାହାରା ପରିବାର ଏବେ ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦୁର୍ଗମ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ସୁବର୍ଣ୍ଣଗିରୀ ପଞ୍ଚାୟତର ବାଣ୍ଡିଗୁଡ଼ା ଗ୍ରାମରେ । ସୂଚନା ପ୍ରକାରେ ଗତ ୨୮ ତାରିଖ ଦିନ ବାଣ୍ଡିଗୁଡ଼ା ଗ୍ରାମର ବିଶ୍ୱନାଥ ବଳିୟାରସିଂ ରାତ୍ରି ଭୋଜନ ପରେ ନିଜ ପରିବାର ସହ ଘରେ ଶୋଇଥିବା ବେଳେ ସେହି ଗ୍ରାମରେ ରହୁଥିବା ବିଶ୍ୱନାଥଙ୍କ ଦାଦା ପୁଅ ଭାଇ ଓ କିଛି ଲୋକ ସଂଘବଦ୍ଧ ଭାବେ ବିଶ୍ଵନାଥଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ତାଙ୍କୁ ଘରୁ ତଡ଼ି ଦେଇଥିଲେ । ପରେ ତାଙ୍କର ଆଉ ଏକ ନିର୍ମାଣଧୀନ ଘରକୁ ଭାଙ୍ଗି ଦେଇଥିଲେ । ଏଥିସହିତ ଗାଁକୁ ଆସିଲେ ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏବେ ବେସାହାରା ପରିବାର ବର୍ଗ ଭୟଭୀତ ଅବସ୍ଥାରେ ଥିବା ସହ ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ଏନେଇ କୋଟଗଡ଼ ଥାନା କେସ୍ ନଂ-୧୮/୨୦୨୬ରେ ପାଞ୍ଚଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସେପଟେ ଆମ ପୂର୍ବ ପୁରୁଷ ସମୟରୁ ଆମେ ଏଠାରେ ବସବାସ କରିବା ସହ ଚାଷବାସ କରି ଆମେ ପରିବାର ପ୍ରତିପୋଷଣ କରୁଥିଲୁ । କିନ୍ତୁ ଆମ ଭାଇ ଗୁଙ୍କୁଲୁଟୁ ବଳିୟାରସିଂ ଆମ ଜାଗା ଛଡ଼ାଇ ନେବାକୁ ଚକ୍ରାନ୍ତ କରି କିଛି ଗ୍ରାମବାସୀଙ୍କୁ ଏକଜୁଟ କରି ଆମକୁ ଗାଁରୁ ତଡ଼ିଦେଇଛି ବୋଲି କହିଛନ୍ତି ବିଶ୍ୱନାଥ ବଳିୟାରସିଂ । ଆମେ ଏବେ କୁଆଡେ଼ ଯିବୁ, କୋଉଠି ରହିବୁ,ଆମକୁ ନ୍ୟାୟ ଦିଅନ୍ତୁ ବୋଲି ପରିବାର ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.