ଡାକ୍ତର ବାଚସ୍ପତି ଦାସ ସମର୍ଥକଙ୍କ ମାରିଦେବାର ଧମକ ପରେ ଥାନାରେ ଏତଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ଡାକ୍ତର ବାଚସ୍ପତି ଦାସ ଜଣେ ପ୍ରସୂତୀ ମହିଳାଙ୍କର ପ୍ରସୂତୀ କରିବା ପାଇଁ କୋଡିଏ ହଜାର ଲାଞ୍ଚ ଦାବୀ କରି ମୁଲଚାଳ ପରେ ପାଞ୍ଚ ହଜାରରେ ଛିଣ୍ଡିଥିଲା । ଡାକ୍ତର ଟଙ୍କା ଲାଞ୍ଚ ନେବାର ଭିଡ଼ିଓ କେମେରାରେ କଏଦ ହୋଇଥିଲା ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏ ବିଷୟରେ ପାଟଣାଗଡ଼ କଂଗ୍ରେସ, ବିଜେପି, କୋଶଲ ରାଜ୍ୟ ସଂମନ୍ଵୟ ସମିତି ତରଫରୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ଅଭିଯୋଗ ମଧ୍ୟ ହୋଇଥିଲା । ଏହାକୁ ଭିତ୍ତିକରି ସିଡିଏମଓ ଏକ ତଦନ୍ତକାରୀ ଟିମ ଗଠନ କରି ତା.୨୧.୦୫.୨୧ ରେ ପାଟଣାଗଡ଼ ଡାକ୍ତରଖାନାକୁ ଆସି ତଦନ୍ତ କରିଥିଲେ । ତଦନ୍ତରେ ସହଯୋଗ କରିବା ପାଇଁ କିଛି ସଂଗଠନ ତଥା ଯାହାଙ୍କଠାରୁ ଡାକ୍ତର ଲାଞ୍ଚ ନେଉଥିଲେ ତାଙ୍କୁ ମଧ୍ୟ ପକ୍ଷଭୁକ୍ତ କରି ତଦନ୍ତ କରିଥିଲେ । ତଦନ୍ତରେ ରମେଶ ସେଠ ପୂର୍ବରୁ ଘଟଣା ଯାହା ଘଟିଥିଲା ତଦନ୍ତକାରୀ ଅଧିକାରୀମାନଙ୍କୁ ଘଟଣାର ସତ୍ୟାସତ୍ୟ କହିଥିଲେ । ତେବେ ରମେଶ ସେଠ୍‌ ଅଭିଯୋଗ କରିଛନ୍‌ନ୍ତି ଯେ, ତଦନ୍ତ ପୂର୍ବରୁ ଅଭିଯୋଗକାରୀଙ୍କ ବୟାନକୁ ଏପଟ ସେପଟ କରିବା ତଥା ଡାକ୍ତରଙ୍କ ସପକ୍ଷରେ କହିବା ପାଇଁ ଡାକ୍ତରଙ୍କ ସମର୍ଥକ ମାନେ ଅଭିଯୋଗକାରୀ ରମେଶ ସେଠଙ୍କୁ ପାଟଣାଗଡ଼ ବାବାଜୀପଡାର ସୁକାନ୍ତ ଦାସ ତାଙ୍କ ମୋଟର ସାଇକେଲରେ ବସେଇ ନେଇ ପାଟଣାଗଡ଼ ସୁବର୍ଣ୍ଣରେଖା ନଦୀ ପଠାରେ ଥିବା ଡିଙ୍ଗର କୁମ୍ଭାରଙ୍କ ଘରକୁ ନେଇଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଡିଙ୍ଗର କୁମ୍ଭାର, ବାପି ସାମଲ ଓ ଡ଼ା. ବାଚସ୍ପତି ଦାସ ଓ ଅନ୍ୟମାନେ ବିଭିନ୍ନ ପ୍ରଲୋଭନ ଦେଖେଇ, ଧମକ ଚମକ ଠେଲାପେଲା ଓ ଭୟଭୀତ କରି ଡାକ୍ତରଙ୍କ ସପକ୍ଷରେ କହିବାକୁ ଏକ ଭିଡ଼ିଓ ମଧ୍ୟ ଅଭିଯୋଗକାରୀଙ୍କ ଠୁ ବନେଇବାରେ ସଫଳ ହୋଇଥିଲେ । ଭୟରେ ରମେଶ ସେଠ ଡ଼ାକ୍ତରଙ୍କ ସପକ୍ଷରେ କହିଦେଲେ । କିନ୍ତୁ ଡାକ୍ତରଙ୍କ ସମର୍ଥକ ମାନେ ତଦନ୍ତ ଦିନର ଘଟଣା ସମ୍ପର୍କରେ ଜାଣି ପୁଣି ଶ୍ରୀ ସେଠଙ୍କୁ ଆମେ ଯାହା କହିଥିଲୁ ତଦନ୍ତ ଦିନ କହିଲୁ ନାହିଁ, ଆମ ସହିତ ଲାଗୁଛୁ, ଡାକ୍ତରଙ୍କ ସହ ଲାଗୁଛୁ ବୋଲି ଧମକ ଚମକ ଦେଇ ଜୀବନରେ ମାରିଦେବାର ମଧ୍ୟ ଧମକ ଦେଇଛନ୍ତି । ଶ୍ରୀ ସେଠ ଭୟଭୀତ ହୋଇ ଜୀବନ ପ୍ରତି ବିପଦ ଥିବାରୁ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବାପାଇଁ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ସେଠଙ୍କ ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ଥାନାରେ ଥାନା କେଶ ନଂ.୯୫/ତା.୨୮.୦୫.୨୧ କେସ ରୁଜୁକରି ଦଫା.୨୯୪,୩୨୩,୫୦୬,୩୪ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.