ହରିଶଙ୍କର ଛକରେ ପିକଅପ୍ ଧକ୍କାରେ ୨ ମୋଟର ସାଇକେଲ ଆରୋହୀ ଗୁରୁତର

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକଠାରେ ପିକଅପ୍ ଗାଡ଼ି ଧକ୍କାରେ ୨ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ୨ ଗୁରୁତର ମୋଟର ସାଇକେଲ ଆରୋହୀ ଭାନପୁର ପଞ୍ଚାୟତ ଝାଙ୍କରପାଲି ଗାଁର ଗୋବର୍ଦ୍ଧନ ବାଗ ଓ ଜିତୁ ବରିହା ବୋଲି ଜଣାପଡିଛି । ସୂଚନା ଅନୁସାରେ, ମୋଟର ସାଇକେଲ ଆରୋହୀ ୨ ଜଣ ଏକ ହିରୋ ଡିଲକ୍ସ ଗାଡ଼ିରେ ଖପ୍ରାଖୋଲ ପଟୁ ନିଜ ଗାଁକୁ ଯାଉଥିବା ବେଳେ ହରିଶଙ୍କର ପଟୁ ଆସୁଥିବା ଏକ ପିକଅପ୍ ଗାଡ଼ି ସାମ୍ନା ପଟୁ ଧକ୍କା ଦେଇଥିଲା, ଯାହା ଫଳରେ ମୋଟର ସାଇକେଲ ଆରୋହୀ ୨ ଜଣ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ଧକ୍କା ଦେଇ ପିକଅପ୍ ଗାଡ଼ି ପଳାଉଥିବା ବେଳେ ଖପ୍ରାଖୋଲ ପୋଲିସ ଗାଡିକୁ କାବୁ କରି ଜବତ କରିଛି । ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ଗୁରୁତରଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନା ପହଞ୍ଚାଇ ଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୧/୨୩ରେ ଏକ ମାମଲା ରୁଜୁ କରି ପିକଅପ୍ ଗାଡ଼ି ସହିତ ଡ୍ରାଇଭରକୁ ଅଟକ ରଖିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.