
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ଗାନ୍ଧୀଛକ ନିକଟରେ ମଙ୍ଗଳବାର ଏକ ତେଲ ଟ୍ୟାଙ୍କର ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ରେ ଥିବା ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ହେଲେ ପ୍ରତିମା ରାଉତ(୫୬), ଘର ସୁନ୍ଦରଗଡ ଜିଲ୍ଲ୍ଲା ବଡଗାଁ ଥାନା ଗରିଆମାଲ ଗ୍ରାମରେ ।
ଗୁରୁତର ସ୍ୱାମୀ ଜଣଙ୍କ ହେଲେ ରମେଶ ରାଉତ(୬୪) । ରମେଶଙ୍କ ୨ ଗୋଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ଏମ୍ସିଏଲ୍ ସେଣ୍ଟ୍ରାଲ ହସ୍ପିଟାଲ୍ ଓ ପରେ ବରଗଡର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଓଆର୍୨୩ଇ-୮୦୮୬ନଂ ତେଲ ଟ୍ୟାଙ୍କର ଓ ଦୁର୍ଘଟଣାଗ୍ରସ୍ତ ଓଡି୨୩ଏ-୨୪୮୭ନଂ ବାଇକ୍ ଜବତ କରି ତଦନ୍ତ ଚଳାଇଛି ।
ଏ ନେଇ ଓରିଏଣ୍ଟ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଦମ୍ପତି ବାଇକ୍ରେ ବନ୍ଧବାହାଲ ଝିଅ ଘରକୁ ଯାଉଥିବା ବେଳେ ତେଲ ଟ୍ୟାଙ୍କର ତାଙ୍କ ବାଇକ୍କୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣା ଖବରପାଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ କରିଥିଲେ । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲାପରେ ରାସ୍ତା ଅବରୋଧ ହଟିଥିଲା ।