୨ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ଏଡଗୁମବାଲସା ଗାଁ ନିକଟ ଦେଇ ଯାଇଥିବା ମୁଖ୍ୟ ରାସ୍ତାରୁ ଆସୁଥିବା ବାଇକ୍‌ ସହ ଆଉ ଏକ ବାଇକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି । ଜମିଜମା ସଂପର୍କିତ କାମ ପାଇଁ ମୃତବ୍ୟକ୍ତି ଭଗି ଜଗଦୀଶ କୁମାର (୬୫) ନିଜ ଗାଁ ଆଲମଣ୍ଡାରୁ ବନ୍ଧୁଗାଁ ତହସିଲ ଅଫିସ ଆସି ଫେରି ଯାଇଥିଲେ । ଏହାପରେ ଠିକ୍‌ ସନ୍ଧ୍ୟା ୪ଟା ସମୟରେ ପୁନର୍ବାର ମୃତ ବ୍ୟକ୍ତି ଜଣକ ବନ୍ଧୁଗାଁକୁ ନିଜ ବାଇକ୍‌ ଚଳାଇ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବନ୍ଧୁଗାଁ ବ୍ଲକ କାପୁଲୋଡା ପଞ୍ଚାୟତ ପିପଲପଦର ଗାଁର ନିଳେନ୍ଦ୍ର ହିମିରିକା (୨୬)ଙ୍କ ବାଇକ୍‌ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସମସ୍ତ ଗୁରୁତର ଆହତ ବ୍ୟକ୍ତିଙ୍କୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରି ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଧକ୍କା ହୋଇଥିବା ଦୁଇଟି ବାଇକ୍‌ର ନମ୍ବର ଓଡ଼ି ୧୫ଟି ୧୩୯୩ ଓଏପି ୦୨ଏ ୩୫୨୪ ରହିଛି । ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତି ଭୋଗି ଜଗଦିଶ କୁମାରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବିପରୀତ ଦିଗରୁ ଆସୁଥିବା ବାଇକ୍‌ ଚାଳକ, ତାଙ୍କ ନାନୀ ସରୋଜିନୀ ହିମିରିକା ଓ ଅନ୍ୟ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ମୃତବ୍ୟକ୍ତିଙ୍କ ପୁଅ ହାଇଦ୍ରାବାଦରେ ରହିଥିବାରୁ ତାଙ୍କ ପୁତୁରା ଭୋଗି ରାଜେଶ କୁମାର ଲିଖିତ ଭାବେ ବନ୍ଧୁଗାଁ ଥାନାରେ ଅଭିଯୋଗ କରିଛନ୍ତି । ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.