ଖପ୍ରାଖୋଲ ଥାନା କନଗାଁ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାସ୍ତା ଉପରେ ଛକି ବସିଥିଲା ମୃତ୍ୟୁ । ଟ୍ରକ୍‌ ଚପାରେ ଚାଲିଗଲା ଜଣେ ଧର୍ମ ପରାୟଣ ବ୍ୟକ୍ତିଙ୍କ ଜୀବନ । ଏଭଳି ଏକ ଖବର ଖପ୍ରାଖୋଲ ଥାନା କନଗାଁରୁ ଆସୁଛି । ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ୫ଟା ସମୟରେ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡ଼ା ଗ୍ରାମରେ ଥିବା ମନ୍ଦିର ପୁଜାରୀ ବିପିନ ବିହାରୀ ଶତପଥୀ ତାଙ୍କ ଜ୍ୱାଇଁ ଘର ବରଗଡ ଜିଲ୍ଲା ସୋହେଲା ନିକଟସ୍ଥ କେନ୍ଦୁମୁଡି ଗ୍ରାମକୁ ଯାଇ ବାଇକ୍‌ ଯୋଗେ ନିଜଘର ମାଲପଡାକୁ ଫେରୁଥିଲେ । ଏତିକି ବେଳେ କନଗାଁ ନିକଟସ୍ଥ କପା ମିଲ୍ ନିକଟରେ ଗୋଟିଏ ଟ୍ରକ୍‌ ନଂ ଓଡି ୨୬ବି ୩୫୧୫ ସାମ୍ନାରୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଜୋରରେ ଆଘାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭର୍‌ ଖେତ୍ର ନାଏକକୁ ଗିରଫ କରିବା ସହ ଟ୍ରକ୍‌ ଏବଂ ବାଇକ୍‌କୁ ଜବତ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଖପ୍ରାଖୋଲ ଅଗ୍ନିଶମ ବିଭାଗର ଗାଡି ପହଞ୍ଚି ଦୁର୍ଘଟଣା ଘଟିଥିବା ବ୍ୟକ୍ତିକୁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ମୋନିକା ମଲ୍ଲିକ ତାଙ୍କୁ ମୃତ ଘୋଷଣା କରିଥିବାବେଳେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚପା ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ବସିଥିବା ବେଳେ ଖପ୍ରାଖୋଲ ପୋଲିସ ତାଙ୍କୁ ବୁଝାସୁଝା କରିବାରୁ ରାସ୍ତାରୁ ଉଠିଥିଲେ । ଏନେଇ ଖପ୍ରାଖୋଲ ଥାନା କେସନଂ ୧୮୨/୨୦୨୪ ରେ ଏକ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ସୂଚନା ଥାଉ କି ଟ୍ରକ୍‌ ଚଳାଉଥିବା ବ୍ୟକ୍ତି ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଡୁଡ଼କିଝେର ଗ୍ରାମର ଖେତ୍ର ନାଏକ । ଖେତ୍ର ନାଏକ ହେଲ୍ପର ଥିବା ସତ୍ତ୍ୱେ ଆଜି ସେ ଡ୍ରାଇଭର୍‌ ଭାବେ ଗାଡି ଚଳାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ବାରମ୍ବାର ଏହି ଅସଜଡା ପଥରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବାରୁ ଏହାକୁ ନେଇ ଜନ ଅସନ୍ତୋଷ ଲାଗି ରହୁଛି ।

Leave A Reply

Your email address will not be published.