ଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର, ଛାତ୍ରଛାତ୍ରୀ ଆହତ

ସାନଖେମୁଣ୍ଡି : ଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର । ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳ ସାଢେ ୯ଟାରେ ଛଣମେରି ସ୍ଥିତ ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟକୁ ଏକ ଅଟୋ ୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ପାଟପୁର ଥାନା ପଳାସପୁର ଡେଙ୍ଗାଉସ୍ତା ମୁଖ୍ୟରାସ୍ତା କାଳୀ ମନ୍ଦିର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଅଟୋରେ ବସିଥିବା ଛାତ୍ର ଶକ୍ତି ସାହୁ, ଛାତ୍ରୀ ଦୀପିକା ରାଣୀ ପଣ୍ଡା, ଯସ୍ମିନ ବିଷୋୟୀ, ଖୁସି ନାୟକ ସମେତ ଅଟୋ ଡ୍ରାଇଭର ଭିକାରୀ ସାହୁ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ପାଟପୁର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ଟ୍ରାକ୍ଟର ଡ୍ରାଇଭରକୁ ଥାନାରେ ରଖି ପଚରାଉଚୁରା କରୁଛି ।

Leave A Reply

Your email address will not be published.