
କନ୍ଧମାଳ : ମଙ୍ଗଳବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କାମଟଣା ନିକଟରେ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ମୃତକ ଗୋଛାପଡା ଥାନା ବାଲାନ୍ଦାପଡା ବଟାବାହାଲି ଗାଁର ଧନଞ୍ଜୟ ଦିଗାଲଙ୍କ ପୁଅ ଜିତନ ଦିଗାଲ(୨୧) ବୋଲି ଜଣାପଡ଼ିଛି । ଗୁରୁତର ଆହତ ଜଣକ ସେହି ବାଳନ୍ଦାପଡା ପଞ୍ଚାୟତ ଅଧୀନରେ ଥିବା ବାଘପଦର ଗାଁର ଯୋଗେଶ୍ୱର କହଁର ବୋଲି ଜଣାପଡି ଥିବା ବେଳେ ତାଙ୍କୁ ଫୁଲବାଣୀରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଜିତନ ଦିଗାଲଙ୍କ ସହ ଅନ୍ୟଜଣେ ଯୁବକ ଏକ ବାଇକ୍ରେ କ୍ରାଣ୍ଡିବାଲି ଗାଁରୁ ଭୋଜି ଖାଇ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଗୋଛାପଡାଠାରୁ ବାଲନ୍ଦାପଡା ଯାଇଥିବା ମୁଖ୍ୟ ରାସ୍ତାର କାମଟଣା ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇଟି ବାଇକ୍ର ଚାରିଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଏକ ଆମ୍ବୁଲାନ୍ସରେ ସମସ୍ତଙ୍କୁ ପ୍ରଥମେ ଗୋଛାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଜିତନ ଦିଗାଲଙ୍କ ମୃତ୍ୟ ହୋଇଥିଲା । ଏହି ଘଟଣା ସମ୍ପର୍କରେ ତେବେ ଖବର ପାଇ ଗୋଛାପଡା ପୋଲିସ ମେଡିକାଲରେ ପହଞ୍ଚି ଏକ ମାମଲା ରୁଜୁ କରିଛି । ଏହା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଦେଇ ଅଧିକ ତଦନ୍ତ ଜାରିରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚିରଞ୍ଜୀବ ବେହେରା ।