ଦେଓଗାଁ ବ୍ଲକରେ ୟୁରିଆ ସାରର କଳାବଜାରୀ : ଭିନ୍ନ ସ୍ଥାନ-ଭିନ୍ନ ଦରରେ ବିକ୍ରି ହେଉଛି ୟୁରିଆ ସାର : କାର୍ଯ୍ୟାନୁଷ୍ଠାନ ଦାବୀ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ୟୁରିଆ ସାର କଳାଜବାଜାରୀକୁ ନେଇ ଚାଷୀ ମହଳରେ ଅସନ୍ତୋଷ ଦେଖାଯାଇଛି । ୟୁରିଆ ସାରର ସରକାରୀ ମୂଲ୍ୟ ୨୬୬ରୁ ୨୭୦ଟଙ୍କା ମଧ୍ୟରେ ଥିବା ବେଳେ କିଛି କଳାବଜାରୀ ବ୍ୟବସାୟୀ ପୂର୍ବରୁ ସାର ଆଣି ଗୋଦାମରେ ଷ୍ଟକ ରଖି ଏବେ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହେଉଛି । ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ବ୍ଲକର ପ୍ରାୟ ସମସ୍ତ ସ୍ଥାନରେ ଦୁଇ ଗୁଣରୁ ବି ଅଧିକ ଦାମରେ ବିକ୍ରି ହେଉଛି । ଦେଓଗାଁ ବ୍ଲକର କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ବିକ୍ରି ହେଉଥିବା ସାରର ଦରକୁ ନେଇ ଅନୁସନ୍ଧାନ କରିବାରୁ ଜଣାପଡୁଛି ଯେ, ୟୁରିଆ ସାର ଏବେ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦରରେ କଳାବଜାରୀ ଭାବେ ବିକ୍ରି ହେଉଛି । ୟୁରିଆ ସାର ବସ୍ତା ପ୍ରତି ମହଲାଇରେ ୭୫୦ଟଙ୍କା ବିକ୍ରୟ ହେଉଥିବା ବେଳେ ବଡ଼ବନ୍ଧ ପଞ୍ଚାୟତର ସିଲେଟକାନୀ ଗାଁରେ ୬ଶହ ଟଙ୍କା, ଘୁଡ଼ଖାପଲା ପଞ୍ଚାୟତର ମାଲପଡ଼ା ଗାଁରେ ସାଢ଼େ ୫ଶହରୁ ୬ଶହ ପର୍ଯ୍ୟନ୍ତ ବିକ୍ରୟ ହେଉଛି । ସେହିପରି ଜରାସିଂହା ପଞ୍ଚାୟତର ବରକାନୀ ଗାଁରେ ୬ଶହ, ବନ୍ଧପଡ଼ାରେ ସାଢ଼େ ୪ଶହରୁ ୫ଶହ, ସାରସମାଲ ଗାଁରେ ମଧ୍ୟ ସାଢ଼େ ୪ଶହରୁ ୫ଶହ ଟଙ୍କାରେ ବେଆଇନ ଭାବେ ବିକ୍ରୟ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ବର୍ଷା ଯୋଗୁଁ ଦେଓଗାଁ ବ୍ଳକର ଅଧାରୁ ଅଧିକ ଚାଷ ହୋଇଥିବା ବେଳେ ଏହି ଚାଷକୁ ବଞ୍ଚାଇବା ପାଇଁ ଚାଷୀମାନେ ଜୋର ଜାର ପ୍ରୟାସ କରୁଛନ୍ତି । ଏହାର ସୁଯୋଗ ନେଇ କଳାବଜାରୀମାନେ ଫାଇଦା ଉଠାଉଛନ୍ତି । କଳାବଜାରୀମାନଙ୍କ ନିକଟକୁ କେଉଁଠାରୁ ସାର ଆସୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ କଳାବଜାର କରୁଥିବା ବ୍ୟବସାୟୀ ପ୍ରତି ଚାଷୀଙ୍କୁ ମକୁଳାଇବା ପାଇଁ ପ୍ରଶାସନ ଉଦ୍ୟମ କରିବା ସହ କଳାବଜାରୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଚାଷୀ ମହଲରେ ଦାବୀ ହେଉଛି ।