ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳନ କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଭାଇ ଓ ଭଉଣୀର ସମ୍ପର୍କ ନିଆରା । ଏ ସମ୍ପର୍କ ହେଉଛି ବିଶ୍ୱାସର, ସୁରକ୍ଷାର, ସମର୍ପଣ ଓ ଭଲ ପାଇବାର । ସେଥିପାଇଁ ଏ ବନ୍ଧନ ହେଉଛି ଅତୁଟ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ଜଗତ ବନ୍ଧୁ ବିଶ୍ୱ ଭାରତୀ ଶିକ୍ଷା ନିକେତନରେ ଅନ୍ତେବାସୀଙ୍କ ସହ ମିଶି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଶିକ୍ଷା ନିକେତନ ପକ୍ଷରୁ ପ୍ରଥମେ ସ୍ୱାଗତ ଅଭିଭାଷଣ ରଖାଯାଇଥିଲା । ପରେ କାର୍ଯ୍ୟକ୍ରମରେ କୁନି କୁନି ପିଲାମାନଙ୍କ ହାତରେ ସଂଗଠନର ମହିଳା ସଦସ୍ୟାମାନେ ରାକ୍ଷୀ ବାନ୍ଧିବା ସହିତ ମିଷ୍ଟାନ୍ନ ଓ ଖାଦ୍ୟପେୟ ବଣ୍ଟନ କରିଥିଲେ । ଏହାସହ ବିଦ୍ୟାଳୟର କୁନି ପିଲାମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ଭଜନ ପରିବେଷଣ ଓ ନୃତ୍ୟ ବାଦ୍ୟରେ ଶିକ୍ଷା ନିକେତନର ପରିବେଶ ଆହୁରି ଉଲ୍ଲସିତ ହୋଇ ଉଠିଥିଲା । ଶେଷରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କୁନି କୁନି ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା ସହିତ ବିଦ୍ୟାଳୟର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗତ ବନ୍ଧୁ ବିଶ୍ୱ ଭାରତୀ ଶିକ୍ଷା ନିକେତନର ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କ ସହ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଅନିତା ମିଶ୍ର, ଶ୍ଵେତା ସାହୁ, ଚିନ୍ମୟୀ ବୀର, ଶୁଭାଶିନୀ ବିଶି, ସଞ୍ଜୁ ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ, ସୁମିତ ମିଶ୍ର, ଅଜୟ ନାଗ, ଟୁଲୁ ସାହୁ, ଜିତୁ ସାହୁ, ସୁଶାନ୍ତ ପଟେଲ, ରମେଶ ଭୋଇ, ନିତ୍ୟାନନ୍ଦ ଷଡଙ୍ଗୀ ଓ ଅବନୀ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.