ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟରେ ରହିଥିବା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ଜଣେ ଦକ୍ଷତା ସମ୍ପନ୍ନ ସେବକ ସନ୍ତୋଷ ମହାରଣାଙ୍କ ଗତକାଲି ମଧ୍ୟାହ୍ନ ବେଳକୁ ଦେହାନ୍ତ ହେଇଯାଇଛି । ହିଞ୍ଜିଳିକାଟୁ ବ୍ଲକ କୋଟିଆପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଦିଗାପଡ଼ା ଗ୍ରାମରେ ପୈତୃକ ଘରେ କାମ କରୁଥିବା ବେଳେ କୌଣସି ଅସାବଧାନତା ବଶତଃ ଇଲେକ୍ଟ୍ରି-ସକ୍ ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଘରେ ଇଲେକ୍ଟ୍ରି ଆଘାତ ହୋଇ ତାଙ୍କ ସ୍ତ୍ରୀ ଅନ୍ୟ ସହଯୋଗୀଙ୍କ ଦ୍ୱାରା ଅଚେତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ମୃତକ ସନ୍ତୋଷ ମହାରଣାଙ୍କର ପତ୍ନୀ ଓ ଏକ ବର୍ଷର ପୁତ୍ର ସନ୍ତାନ ଅଛନ୍ତି । ତାଙ୍କର ମାତା ପିତା ପୂର୍ବରୁ ସ୍ୱର୍ଗଗାମୀ ହୋଇଥିବାବେଳେ ସେ ଆର୍ଥିକ ସଙ୍କଟ ଦିଗରେ ଗତି କରି ତାଙ୍କର ୩ ଜଣ ଭଉଣୀଙ୍କୁ ଶାଶୁ ଘର ପଠାଇଥିଲେ । ସେ କାଠଶିଳ୍ପୀ ଭାବେ କାମ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ଜଣେ ଦକ୍ଷତା ସମ୍ପନ୍ନ ସେବକ ଭାବେ ନିଃ-ସ୍ୱାର୍ଥପର କାର୍ଯ୍ୟ କରି ନିଜ ଜୀବନକୁ ଉତ୍ସର୍ଗ କରି ଆସିଥିବା ବେଳେ ତାହାଙ୍କ ଅକାଳ ବିୟୋଗରେ ରାମଚଣ୍ଡୀ ମନ୍ଦିରର ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରଯାଇଛି । ଅର୍ଥ ଦ୍ୱାରା ସବୁ କିଣି ପାରିବା, କିନ୍ତୁ ଜଣେ ସଚ୍ଚୋଟ, ଆଦର୍ଶବାଦୀ ଓ ନିଷ୍ଠାପର ବ୍ୟକ୍ତିଙ୍କୁ କିଣିପାରିବା ଗୋଟିଏ ବଡ଼ ମୁସ୍କିଲ ଅଟେ । ଗଞ୍ଜାମ ଜିଲ୍ଲାର ମହାରଣା / ବଢ଼େଇ କୁଳ ସମାଜର ଜଣେ ସଚ୍ଚୋଟ ଓଡିଆ କୁଶଳୀ କାରିଗରକୁ ହରେଇଛି ବୋଲି ରାମଚଣ୍ଡୀ ମନ୍ଦିରର ସଂଯୋଜକ କମଲ କୁମାର୍ ପଣ୍ଡା ଗଣମାଧ୍ୟମ ଆଗରେ ମତବ୍ୟକ୍ତ କରିଛନ୍ତି । ୨୦୨୩ ମାର୍ଚ୍ଚ ମାସ ୨୭ ତାରିଖରେ ଆୟୋଜିତ ହୋଇଥିବା ନବଦିନାତ୍ମକ ଯଜ୍ଞାନୁଷ୍ଠାନର ସ୍ଥାପତି ପଣ୍ତିତ ବିଜୟ ତ୍ରିପାଠୀଙ୍କ ବଳିଷ୍ଠ ନିର୍ଦ୍ଦେଶରେ ଯେଉଁ ବୃହତ୍ ଯଜ୍ଞଶାଳାର ନିର୍ମାଣ ଶୈଳୀ ତାଙ୍କରି ଉଦ୍ୟମରେ ନିର୍ମିତ ହୋଇଥିଲା । ଯାହାକି ଆଜି ସେହି ସ୍ମୁତି ଭକ୍ତ ସଭିଙ୍କୁ ଆଲୋଡ଼ିତ କରିଛି । ତାହାଙ୍କ ବିୟୋଗରେ ସମସ୍ତେ ମ୍ରିୟମାଣ ହୋଇପଡ଼ିଥିବା କୁହାଯାଇଛି । ଆକସ୍ମିକ ସ୍ଥିତିରେ ମା’ରାମଚଣ୍ଡୀ ପୂଜା କମିଟି ତରଫରୁ ୫ ହଜାର ଟଙ୍କା ଆର୍ଥିକ ସହଯୋଗ ଦିଆଯାଇଥିବାବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ନେଇ ରାଜ୍ୟସରକାରଙ୍କ ତରଫରୁ ତାହାଙ୍କ ପାରିବାରଙ୍କୁ ଆର୍ଥିକ ସାହାଯ୍ୟ ତଥା କ୍ଷତିପୂରଣ ଦେବାକୁ ସାଧାରଣରେ ଦାବୀ ହୋଇଛି ।