ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଟିକ୍ରାପଡା ନିବାସୀ ବରିଷ୍ଠ ଆଇନଜୀବୀ ମାର୍କଣ୍ଡ ମିଶ୍ର(୮୭)ଙ୍କ ଆଜି ଅପରାହ୍ଣ ସାଢେ ୨ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କ ଧର୍ମପତ୍ନୀଙ୍କ ଆଜି ଦଶାହ ଚାଲିଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇ ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ପାଖରେ ପରିବାରର ସମସ୍ତ ସଦସ୍ୟ ସହ ଭରପୁର ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ଝାରଖଣ୍ଡର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୟ ମିଶ୍ରଙ୍କ ପିତା ସ୍ୱର୍ଗତ ମାର୍କଣ୍ଡ ମିଶ୍ର ପୂର୍ବତନ ରାଜ୍ୟସଭା ସଦସ୍ୟ ସତ୍ୟାନନ୍ଦ ମିଶ୍ରଙ୍କ ସୁପୁତ୍ର ହୋଇଥିବା ବେଳେ ସେ ମାଜିଷ୍ଟ୍ରେଟ୍ ଚାକିରି ଛାଡି ଆଇନଜୀବୀ ଭାବେ କାର୍ଯ୍ୟ ସମ୍ପାଦନା କରୁଥିଲେ । ସହରର ଅନେକ ଅନୁଷ୍ଠାନ ସମେତ ସତ୍ୟସାଇ ସେବା ଅନୁଷ୍ଠାନ, ରୋଟାରୀ କ୍ଲବ ଆଦି ଅନୁଷ୍ଠାନ ସହ ସେ ଜଡିତ ଥିଲେ । ଜଣେ ଜନପ୍ରିୟ, ମିଷ୍ଟଭାଷୀ, ଉଦାର ଓ ପରୋପକାରୀ ମଣିଷ ଭାବେ ସେ ବଲାଙ୍ଗିର ଜିଲ୍ଲା ସହ ସାରା ଓଡିଶାରେ ସୁନାମ ଅର୍ଜନ କରିଥିଲେ । ତେବେ ବର୍ତ୍ତମାନ ସ୍ଥାନୀୟ ବିଭୁତିପଡ଼ା ସ୍ଥିତ ଶ୍ମଶାନରେ ତାଙ୍କ ଅନ୍ତିମ ସତ୍କାର ଚାଲିଥିବା ବେଳେ ମୁଖାଗ୍ନି ଦେଇଛନ୍ତି ତାଙ୍କ ଜ୍ୟେଷ୍ଠ ପୁତ୍ର ଜଷ୍ଟିସ୍ ସଞ୍ଜୟ ମିଶ୍ର । ତାଙ୍କ ବିୟୋଗରେ ବଲାଙ୍ଗିର ସହର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Prev Post