ଦେବଦୂତର ଭୂମିକାରେ ପ୍ରାଣୀ ଚିକିତ୍ସକ

ଜୟପାଟଣା, (ଶେଷଦେବ ବେହେରା) : ଗୋରୁ ବେପାରୀ ମାନେ ଅମାନବୀୟ ଭାବରେ ଗୋରୁ ମାନଙ୍କୁ ଭୋକ ଉପବାସରେ କିଲୋମିଟର କିଲୋମିଟର ଯାତ୍ରା କରାଇ ଗୋଟିଏ ବଜାରରୁ ଅନ୍ୟ ବଜାରକୁ ବିକ୍ରି ପାଇଁ ନେଉଥିବା ଦୃଷ୍ଟାନ୍ତ ସବୁବେଳେ ରହିଆସିଛି । ଭୋକ ଉପବାସରେ ଚାଲି ପାରୁ ନଥିବା ଗୋରୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ମଧ୍ୟ ଚାଲିଥାଏ । ଶେଷରେ ରାସ୍ତାକଡ଼ରେ ମୁମୂର୍ଷୁ ହୋଇ ପଡିଗଲେ ସେଠାରେ ହିଁ ସେମାନେ ଛାଡ଼ି ଚାଲି ଯାଆନ୍ତି । ପରିଶେଷରେ ସେହି ନିଃସହାୟ ଗୋରୁକୁ ସେଠାରେ ହିଁ ଛଟପଟ ହୋଇ ମରିବାକୁ ପଡେ । ଏହିସବୁ ଘଟଣା ଗୋମାତା କହୁଥିବା ସଭ୍ୟ ମଣିଷ ଓ ପ୍ରଶାସନର ପରିଧି ମଧ୍ୟରେ ଘଟିଯାଏ । କେତେବେଳେ ଯଦି ସହାନୁଭୂତି ସମ୍ପନ୍ନ ମଣିଷ ଟିଏ ଯୁଟିଗଲେ ସହାୟତାର ବାଟ ଖୋଲିବା ସହିତ ମୁମୂର୍ଷୁ ପାଇଁ ନୂଆ ଜୀବନ ମିଳିଯାଏ । ଠିକ୍ ସେମିତି ଏକ ଘଟଣାରେ ୪ ଜଣ ଦେବଦୂତଙ୍କୁ ଦେଖିବାକୁ ମିଳିଥିଲା । ସେମାନେ ଆଉ କେହି ନୁହନ୍ତି, ଜୟପାଟଣା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡାକ୍ତର ଗୋକୁଳ ବିହାରୀ ପଟ୍ଟନାୟକ ଓ ସହଯୋଗୀ କର୍ମୀ ନିରଞ୍ଜନ ଶବର, ଲୋକନାଥ ସା ଓ ପୂର୍ଣ୍ଣଚନ୍ଦ୍ର ମାଝୀ । ବାନେର ଲଡୁ ଗାଁ ମୁଖ୍ୟ ରାସ୍ତା ବିମଳା ଗ୍ରାମ ନିକଟ ରାସ୍ତାକଡ଼ରେ ଏକ ଜମି ମଧ୍ୟରେ ଅଚେତ୍ ଅବସ୍ଥାରେ ଗାଈଟିଏ ପଡିରହିଥିବାର ଦେଖିବାକୁ ମିଳିଥିଲା । ସେହି ବାଟଦେଇ ଯାଉଥିବା ନିରଞ୍ଜନ ଘଟଣାର ଗୁରୁତ୍ଵ ଉପଲବ୍ଧି କରି ଜୟପାଟଣା ପ୍ରାଣୀ ଚିକିତ୍ସକ ଓ ସହଯୋଗୀ ମାନଙ୍କୁ ଡାକିଥିଲେ । ସମସ୍ତଙ୍କ ଉଦ୍ୟମ ସହିତ ଜୀବନ ରକ୍ଷକ ଔଷଧ ଓ ସାଲାଇନ ଦେବା ପରେ ଗାଈଟି ଆରୋଗ୍ୟ ହୋଇଥିଲା । ଆମ ପ୍ରତିନିଧି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ନିଜକୁ ସେବା କାର୍ଯ୍ୟରେ ସାମିଲ କରିବାର ସୌଭାଗ୍ୟ ପାଇଥିଲେ । ଡାକ୍ତର ଓ ସହଯୋଗୀ ସିନା ଗୋରୁକୁ ଠିକ୍ କରିଦେଲେ, ଏବେ ପ୍ରଶ୍ନ ଉଠୁଛି ସେହି ଗୋରୁର ପରବର୍ତ୍ତୀ ଦାୟିତ୍ଵ କିଏ ନେବ ।

Leave A Reply

Your email address will not be published.