ଜୋର ଧରୁଛି ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀ : ଦସ୍ତଖତ ଅଭିଯାନ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ସର୍ବ ପୂରାତନ ମହାବିଦ୍ୟାଳୟ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ୧୯୬୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ପୂରାତନ ମହାବିଦ୍ୟାଳୟକୁ ବ୍ୟାପକ ଅବହେଳା ତଥା ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ ଆଲୁମିନୀ ସଂଘ ପକ୍ଷରୁ ସରକାରଙ୍କ ପାଖରେ ବାରମ୍ବାର ବିଭିନ୍ନ ଉପାୟରେ ଦାବୀ ହେଉଥିବା ବେଳେ ସେପଟେ ଆସ୍ତେ ଆସ୍ତେ ବ୍ୟାପକ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ସୋନପୁର କଲେଜର ୧୯୬୯ ମସିହା ଛାତ୍ର ମଧୁସୂଦନ ମିଶ୍ର, ସତ୍ୟନାରାୟଣ ମିଶ୍ର ଓ କଲ୍ୟାଣ ପାଢ଼ୀଙ୍କ ସହିତ ପୁରାତନ ଛାତ୍ର ସଂଘର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଏହାକୁ ଶୁଭାରମ୍ଭ କରିଥିଲେ । ଆଲୁମିନୀ ସଂଘର ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଭାରତ ଭୂଷଣ ଦାଶ, ସରୋଜ ପ୍ରଧାନ, ଶ୍ୟାମାଓଁ ପ୍ରସାଦ ମିଶ୍ର, ସୁଧାଂଶୁ ମିଶ୍ର, ସୁଧୀର ପଣ୍ଡା, ଶାଶ୍ଵତ ମିଶ୍ର, ନିଶାନ୍ତ ମହାନ୍ତି, ଅଭିଷେକ ଶର୍ମା, ପ୍ରକାଶ ସାହୁ, ମନୋରଞ୍ଜନ ତ୍ରୀପାଠୀ, ସ୍ୱରୂପ ପାତ୍ର, ଗୌରୀ ଶଙ୍କର ରଥ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ । ସଂଘ ପକ୍ଷରୁ କୁହାଯାଇଛି ଯେ, ନୂତନ ଭାବରେ ପ୍ରତିଷ୍ଠିତ କଲେଜ ସରକାରୀ ମାନ୍ୟତା ପାଇ ସାରିଥିବା ବେଳେ ପୂରାତନ ସୋନପୁର କଲେଜକୁ ଅଣଦେଖା କରାଯାଇଛି । କଲେଜକୁ ସରକାରୀ ମାନ୍ୟତା ପାଇଁ ଯାହା ପଦକ୍ଷେପ ନେବାକୁ ପଡେ ଆଗକୁ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯିବା ପାଇଁ ଏହି ଅବସରରେ ବିଭିନ୍ନ ଛାତ୍ର ନେତା ପ୍ରକାଶ କରିଛନ୍ତି । ଦସ୍ତଖତ ଅଭିଯାନ ଦିନ ୧୧ଟାରୁ ଆରମ୍ଭ ହୋଇ ରାତ୍ର ୯ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସ୍ଵଇଚ୍ଛାରେ ଦସ୍ତଖତ କରିଥିଲେ । ଏହି ଅବସରରେ ବିଜୁ ପଟ୍ଟନାୟକ ଛକଠାରେ ସନ୍ଧ୍ୟା ୭ଟା ବେଳେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.