କୁଶଙ୍ଗ ଜଗନ୍ନାଥ ମନ୍ଦିରରେ ଦୁଇ ଜଗନ୍ନାଥ ହେଲେ ରଥାରୁଢ଼ : ଦୁର୍ଲ୍ଲଭ ଦର୍ଶନ କଲେ ଭକ୍ତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଗୋଟିଏ ମନ୍ଦିରରେ ଦୁଇ ଜଗନ୍ନାଥ । ଯୁଗଳ ମୂର୍ତ୍ତି ଭାବେ ମନ୍ଦିରରେ ପୂଜା ପାଆନ୍ତି । ପୁଣି ରଥଯାତ୍ରାରେ ରଥାରୁଢ଼ ହୋଇ ଦୁର୍ଲ୍ଲଭ ଦର୍ଶନ ଦିଅନ୍ତି । ଏମିତି ଏକ ନିଆରା ପରମ୍ପରା ଦୀର୍ଘ ୨୦୦ ବର୍ଷ ହେଲା ଅକ୍ଷୁର୍ଣ୍ଣ ଭାବରେ ଚଳି ଆସୁଥିବା ବେଳେ ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ରହିଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମ ମା’ କୁଶଙ୍ଗାଇ ପୀଠ ଭାବରେ ସାରା ରାଜ୍ୟରେ ଚର୍ଚ୍ଚିତ ରହିଛି । ତେବେ ଏଠାରେ ଥିବା ବହୁ ପୁରୁଣା ଜଗନ୍ନାଥ ମନ୍ଦିରରେ ମଧ୍ୟ ନିଆରା ପରମ୍ପରା ରହିଛି । ସାଧାରଣତଃ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ରହିଥିବା ବେଳେ କେତେକ ସ୍ଥାନରେ କେବଳ ଜଗନ୍ନାଥଙ୍କ ମୂର୍ତ୍ତି ରହି ପୂଜା ପାଉଛନ୍ତି । କିନ୍ତୁ କୁଶଙ୍ଗ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଦୁଇ ଜଗନ୍ନାଥ ପୂଜା ପାଉଛନ୍ତି । କିମ୍ବଦନ୍ତୀ ଅନୁସାରେ, ପ୍ରାରମ୍ଭରେ କେବଳ ଜଗନ୍ନାଥ ପୂଜା ପାଉଥିଲେ । ଥରେ ଜଣେ ସନ୍ନ୍ୟାସୀ ଦୁଇଟି ଗାଈ ଓ ଏକ ଜଗନ୍ନାଥ ମୂର୍ତ୍ତି ଧରି ଗାଁରେ ବୁଲି ବୁଲି ଭିକ୍ଷା କରୁଥିଲେ । ତତ୍କାଳୀନ ଗୌନ୍ତିଆ ସ୍ୱର୍ଗତ ମନବୋଧ ପଟେଲ ଓ ତାଙ୍କ ସହଧର୍ମଣୀ ଲକ୍ଷ୍ମୀ ପଟେଲ ଉକ୍ତ ଖବର ଗ୍ରାମବାସୀଙ୍କ ମୁହଁରୁ ଶୁଣିବାକୁ ପାଇଲେ । ସଙ୍ଗେ ସଙ୍ଗେ ଉକ୍ତ ସନ୍ନ୍ୟାସୀଙ୍କୁ ଡାକି ଉକ୍ତ ଜଗନ୍ନାଥ ମୂର୍ତ୍ତିଙ୍କୁ ମାଗି ଗାଁ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥଙ୍କ ପାଖରେ ସ୍ଥାପନ କଲେ । ଯାହାଫଳରେ ସେହିଦିନ ଠାରୁ ଯୁଗଳ ଜଗନ୍ନାଥ ପୂଜା ପାଇଲେ । ଏମିତି କିଛି ବର୍ଷ ଗଲା ପରେ ପାଟଣାଗଡ ନିକଟସ୍ଥ ତମିଆଁ ଗ୍ରାମର ଗୌନ୍ତିଆ ଉକ୍ତ ଜଗନ୍ନାଥଙ୍କୁ ନେବା ପାଇଁ କୁଶଙ୍ଗ ଗୌନ୍ତିଆଙ୍କ ସହ ମିତ୍ରତା ସ୍ଥାପନ କଲେ । ତା’ପରେ ନିଜ ଆଶାରେ ସଫଳ ହୋଇ ଉକ୍ତ ଜଗନ୍ନାଥଙ୍କୁ ତମିଆଁ ନେଇ ଆସ୍ଥାନ ଦେଲେ । ତେବେ ସେହିଦିନ ଠାରୁ କୁଶଙ୍ଗ ଗ୍ରାମରେ ବର୍ଷାଭାବ ହୋଇଥିବା ଜଣାପଡିଥିଲା । ଯାହାକି କୁଶଙ୍ଗ ଜଗନ୍ନାଥ ମନ୍ଦିରର ପୂଜକ ଅକ୍ଷୟ ପଣ୍ଡା ଓ ବୟୋଜୈଷ୍ଠ ଆଦିକନ୍ଦ ସାହୁ କହନ୍ତି । ଏପରିକି ବର୍ଷାଭାବ ଯୋଗୁଁ ଲଗାତାର ମରୁଡି ଲାଗି ରହିଥିଲା । ତେବେ ସେ ସମୟର ତତ୍କାଳୀନ ଝାଙ୍କର ସ୍ୱର୍ଗତ ଭାଗିରଥି ଭୋଇଙ୍କୁ ଜଗନ୍ନାଥ ସ୍ୱପ୍ନାଦେଶ କଲେ । ଯାହାକି ତମିଆଁରେ ପୂଜା ପାଉଥିବା ଜଗନ୍ନାଥଙ୍କୁ ପୁଣି କୁଶଙ୍ଗ ଆଣି ପୂଜା କଲେ ମରୁଡି ଆଉ ହେବ ନାହିଁ । ତା’ପରେ ଝାଙ୍କର ଗୌନ୍ତିଆଙ୍କୁ ସ୍ୱପ୍ନାଦେଶ କଥା କହିଥିଲେ । ଗୌନ୍ତିଆ ପୁଣି ଗ୍ରାମବାସୀଙ୍କ ସହ ତମିଆଁ ଭଜନ କୀର୍ତ୍ତନ ସହ ଶ୍ରୀ ଜଗନ୍ନାଥଙ୍କୁ କୁଶଙ୍ଗ ଆଣିଥିଲେ । ସେହି ସମୟରେ ହିଁ ବର୍ଷା ଆରମ୍ଭ ହୋଇଥିଲା । ଯାହାଫଳରେ ତମିଆଁରୁ କୁଶଙ୍ଗକୁ ବର୍ଷାରେ ଭିଜି ଭିଜି ଆସିବାକୁ ପଡ଼ିଥିଲା । ତେବେ ସେହିଦିନ ଠାରୁ ପୁନର୍ବାର ଦୁଇ ଜଗନ୍ନାଥ ପୂଜା ପାଇ ଆସୁଛନ୍ତି । ତେବେ ରଥଯାତ୍ରା ଅବସରରେ ମଧ୍ୟ ଯୁଗଳ ଜଗନ୍ନାଥଙ୍କୁ ଗୋଟିଏ ରଥରେ ବସାଇ ଗ୍ରାମବାସୀ ବହୁ ଉତ୍ସାହ ସହିତ ଦୁର୍ଲ୍ଲଭ ଦର୍ଶନ କରିଛନ୍ତି ।

Leave A Reply

Your email address will not be published.