ପଏଁରୀ ତିହାରର ଦ୍ଵିତୀୟ ସନ୍ଧ୍ୟାରେ ଜାମୁଡାଲି ଗୀତରେ ଝୁମିଲେ ଦର୍ଶକ

  • ସମ୍ୱର୍ଦ୍ଧିତ ହେଲେ ଶିକ୍ଷାବିଦ ଲାଲବାବୁ ସେଠୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପଏଁରୀ ଅନୁଷ୍ଠାନ ଦ୍ଵାରା ଆୟୋଜିତ ପଏଁରୀ ତିହାର୨୦୨୬ର ଆଜି ଦ୍ଵିତୀୟ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପଏଁରୀ ଅନୁଷ୍ଠାନ ଦ୍ଵାରା ପରିବେଷିତ ଜାମୁଡାଲି, ବଲାଙ୍ଗିର ଦୁଲଦୁଲି କଳାପରିଷଦର ଘୁଡକା ଓ ନୟାଗଡ଼ର ପଶୁମୁଖା, ବିନିକା ମା’ ମାହେଶ୍ୱରୀ ସା‍ଂସ୍କୃତିକ ପରିଷଦର ନଚନିଆଁରେ ଦର୍ଶକ ବିଳମ୍ବିତ ରାତି ଯାଏ ମନଭରି ଉପଭୋଗ କରିଥିଲେ । ତିନିଦିନ ବ୍ୟାପି ଏହି ତିହାରକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ସଂଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରଙ୍କ ସହଯୋଗରେ ଆୟୋଜିତ ହେଉଥିବା ପଏଁରୀ ଚଳିତ ବର୍ଷ ମା’ ସୁରେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ ହେଉଛି । ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ସଭାପତି ଲଡୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟରେ ଅତିଥି ସମୁହ ପ୍ରଥମେ ମା’ ସୁରେଶ୍ୱରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଅକ୍ଷୟ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁବର୍ଣ୍ଣପୁରର କଳା ସଂସ୍କୃତି ଅନ୍ୟାନ୍ୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ପୈରାଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗ ଦେଇଥିଲେ । ଆଜିକାର ସମ୍ବର୍ଦ୍ଧନା ପର୍ବରେ ଲାଲବାବୁ ସେଠୀ, ( ଆଦର୍ଶ ଶିକ୍ଷକ ତଥା ଶିକ୍ଷାବିଦ୍‌), ପଏଁରୀ ସମ୍ମାନରେ ରାଜେଶ ହାତୀ, ବିଶିଷ୍ଟ ଦଣ୍ଡ କଳାକାର (ରାଧା) ଅଖିଳ ଜାଲ ଦଣ୍ଡ କଳାକାର (କୃଷ୍ଣ), ଅକ୍ସିଜିମର ପ୍ରତିଷ୍ଠାତା ଉଦ୍ଧବ ମେହେର ଓ ସହରର କିଛି ବରିଷ୍ଠ ସାମ୍ବାଦିକଙ୍କୁ ସର୍ମ୍ବଦ୍ଧନା ପ୍ରଦାନ କରାଯାଇଥିଲା । ପଏଁରୀର ଉପ ସଭାପତି ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ନୁର ବେଗମ, ନବିନ କୁଅଁର, ପଦ୍ମଲୋଚନ ସାହୁ, ବ୍ରହ୍ଣା କୁମ୍ଭାର, ମସ୍ତରାମ ସୁନା, ଶାନ୍ତନୁ ମୁନା ପ୍ରମୁଖ କଳାକାର ଲୋକ ସଙ୍ଗୀତ ଗାନ କରିଥିଲେ ।

Leave A Reply

Your email address will not be published.