ମା’ ରାମଚଣ୍ଡୀଙ୍କ ଆଜି ସ୍ୱତନ୍ତ୍ର ବେଶ, ସର୍ବମଙ୍ଗଳା ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସହରଠାରୁ ମାତ୍ର ୭ କିମି ଦୂର ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ଜଙ୍ଗଲ ଜମି ଧଡ଼ାପାହାଡ଼ରେ ଅବସ୍ଥାନ କରିଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଆଜି ସ୍ୱତନ୍ତ୍ର ବେଶ ଲାଗି ହୋଇଛି । ପ୍ରକାଶ ଥାଉକି, ଗତ କିଛିଦିନ ତଳେ ମା’ ରାମଚଣ୍ଡୀଙ୍କ ନୂତନ ମନ୍ଦିର, ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପାଦିତ ହୋଇଥିଲା । ଆରାଧ୍ୟ ଦେବୀ ମା’ ରାମଚଣ୍ଡୀଙ୍କ ନବକଳେବର ଅନୁଷ୍ଠିତ ହୋଇଥିଲା । ନବନିର୍ମିତ ମନ୍ଦିର ଓ ଦେବୀଙ୍କ କଳେବର ବୃଦ୍ଧି ପାଇଥିବା ବେଳେ ଏହି ମନ୍ଦିରର ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ଦୈନିକ ଭକ୍ତଙ୍କ ସମାଗମ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ଏବେ ଜିଲ୍ଲା ଓ ଜିଲ୍ଲା ବାହାରରୁ, ରାଜ୍ୟ ଓ ରାଜ୍ୟ ବାହାରରୁ, ଏପରିକି ବିଦେଶୀ ପର୍ଯ୍ୟଟକ ଏବଂ ଅଗଣିତ ଭକ୍ତ, ବିଶିଷ୍ଟ ଅତିଥି ଦେବଗଣଙ୍କ ଦର୍ଶାନାର୍ଥେ ପଦାର୍ପଣ ହେଉଛି । ଦୈନିକ ରୀତିନୀତିରେ ଏବଂ ପର୍ବପର୍ବାଣୀମାନଙ୍କରେ ଦେବୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ହେଉଛି । ପବିତ୍ର ବୈଶାଖ ମାସ ଶୁକ୍ଲପକ୍ଷ ଅଦ୍ୟ ଶୁଭ ମଙ୍ଗଳବାରରେ ଦେବୀ ସର୍ବମଙ୍ଗଳା ରୂପରେ ଦର୍ଶନ ଦେଇଛନ୍ତି । ଦେବୀଙ୍କୁ ଅଗଣିତ ଭକ୍ତଜନ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି ।

Leave A Reply

Your email address will not be published.