
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ପୂଣ୍ୟତ୍ତୋୟା ଋଷିକୂଲ୍ୟା ତୀରେ ଦକ୍ଷିଣ ଦିଗରେ ପୂର୍ଣ୍ଣଗିରି ଶୀର୍ଷରେ ବିଦ୍ୟମାନ ବିଶ୍ୱବନ୍ଦନୀୟା ସ୍ତନପୀଠରେ ପୂଜିତା ଆଦ୍ୟାଶକ୍ତି ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ ସକାଳୁ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଥିଲା । ଦ୍ୱିତୀୟ ପାଳିରେ ରାତି ସାଢେ ୧୨ଟାରୁ ମନ୍ଦିର ଦ୍ୱାର ଫିଟା ହୋଇ ରୀତିନୀତି ଅନୁସାରେ ମଙ୍ଗଳ ଆଳତୀ, ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ ଆଦି ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇ ମା’ ତାରାତାରିଣୀଙ୍କୁ ପୂଜକମାନେ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଇଥିଲେ । ରାତି ୩.୪୫ରେ ସାହାଣମେଲା ହୋଇଥିଲା । ୨ଟା ରାତିରୁ ମାନସିକଧାରୀମାନଙ୍କ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶକ୍ତିସ୍ୱରୂପିଣୀ ଦଶଭୂଜା ଦେବୀ ତାରାତାରିଣୀ ଦ୍ୱିତୀୟ ପାଳି ମଙ୍ଗଳବାର ଦିନ ମହାଲକ୍ଷ୍ମୀ ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏହି ଯାତ୍ରା ସମ୍ଭାର ତଦାରଖ କରି ଯାତ୍ରୀମାନେ ଯେପରି ଶୃଙ୍ଖଳିତ ମଣିବେ ସେ ଦିଗରେ ପଦକ୍ଷେପ ନେଇଥିଲେ । ସୁରକ୍ଷା କ୍ଷେତ୍ରରେ ବହୁ ପୋଲିସ କର୍ମଚାରୀ ଓ ପୋଲିସ ଅଫିସର ନିୟୋଜିତ ହୋଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ, ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ, ବିଡିଓ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି ପ୍ରମୁଖ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିବାରେ ଲାଗିଛନ୍ତି । ସେବାୟତ ସଂଘ ସଭାପତି ତପନ କୁମାର ରଣା, ସେବାୟତ ବାପୁଜୀ ରଣା, ଧୃବ ରଣାଙ୍କ ସମେତ ସମସ୍ତ ସେବାୟତ ପୂଜାର୍ଚ୍ଚନା କରିଥିଲେ ।