jayashree

ବ୍ରହ୍ମପୁରରୁ ଭୁବନେଶ୍ୱର ପାସେଞ୍ଜର ରେଳ ଟିକେଟ ଅଧା ଦର କମିଲା

  • ବ୍ରହ୍ମପୁରରୁ ଭୁବନେଶ୍ୱର ପାସେଞ୍ଜର ଓ ମେମୁ ଟ୍ରେନ୍‌ରେ ଯାତ୍ରୀଙ୍କ ପିଛା ଟିକେଟ ଦର ମାତ୍ର ୪୦ଟଙ୍କା ଧାର୍ଯ୍ୟ ହେଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦୨୦ରେ କରୋନା କଟକଣା ପାଇଁ ପାସେଞ୍ଜର ଟ୍ରେନ୍ ହେଉ ଅବା ଏକ୍ସପ୍ରେସ ଟ୍ରେନ୍‌ର ଜେନେରାଲ ବଗିରେ ବସି ଯାତ୍ରୀମାନେ ରେଳରେ ଯାତ୍ରା କଲେ ଅଧିକ ରେଳ ଭଡ଼ା ଦେଇ ଯାତ୍ରା କରୁଥିଲେ । ଯାହା କି ଏକ୍ସପ୍ରେସ ସହ ଏକ ପାସେଞ୍ଜର ଟ୍ରେନ୍ ଅବା ମେମୁ ଟ୍ରେନ୍‌ରେ ଯାତ୍ରା ଟିକେଟ ପ୍ରାୟ ସମାନ ଦର ଥିଲା । ଗରୀବ ଲୋକଙ୍କୁ ଏହି ଅଧିକା ଦର ଖୁବ୍ ବାଧୁଥିଲା । ଏବେ ଏହି ଦର କମିଲା । ସୂଚନା ଥାଉକି, ବହୁଦିନର ଦାବୀ ଶେଷରେ ପୂରଣ ହୋଇଛି । ବୃଦ୍ଧି ପାଇଥିବା ପାସେଞ୍ଜର୍‌ ଟ୍ରେନ୍‌ ଟିକେଟ୍‌ ମୂଲ୍ୟକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି । ପାସେଞ୍ଜର୍‌ ଟ୍ରେନ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯିବା ପାଇଁ ଯାତ୍ରୀଙ୍କୁ ପୂର୍ବଭଳି ୪୦ଟଙ୍କା ଦେବାକୁ ପଡ଼ିବ । ଗତକାଲିଠାରୁ ବର୍ଦ୍ଧିତ ଟିକଟ ମୂଲ୍ୟ ପ୍ରତ୍ୟାହାର କରାଯାଇଥିବା ବ୍ରହ୍ମପୁର ରେଳ ଷ୍ଟେସନ୍‌ ପ୍ରବନ୍ଧକ ଦୁର୍ଗାପ୍ରସାଦ ବ୍ରହ୍ମା କହିଛନ୍ତି । ୨୦୨୦ରେ କରୋନା କଟକଣା ପାଇଁ ବହୁଦିନ ଧରି ଟ୍ରେନ୍‌ ଚଳାଚଳ ବନ୍ଦ କରି ଦିଆଯାଇଥିଲା । ଏହାପରେ ସ୍ୱତନ୍ତ୍ର ଟ୍ରେନ୍‌ ନାଁରେ କିଛି ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା । ପରେ ଧୀରେ ଧୀରେ ସମସ୍ତ ପାସେଞ୍ଜର୍‌ ଟ୍ରେନ୍‌କୁ ମଧ୍ୟ ଆରମ୍ଭ କରାଯାଇଥିଲା । ହେଲେ ସେଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ୍‌ କରି ଏକ୍ସପ୍ରେସ୍‌ ଭଡ଼ା ଆଦାୟ କରାଯାଉଥିଲା । ତିନି ବର୍ଷରୁ ଅଧିକ ସମୟ ଧରି ଯାତ୍ରୀ ପାସେଞ୍ଜର୍‌ ଟ୍ରେନ୍‌ରେ ଯାତାୟାତ ସମୟରେ ଏକ୍ସପ୍ରେସ୍‌ ଭଡ଼ା ଦେଇ ଆସୁଥିଲେ । ବ୍ରହ୍ମପୁରରୁ ଭୁବନେଶ୍ୱର ଯିବା ପାଇଁ କରୋନା ପୂର୍ବରୁ ପାସେଞ୍ଜର୍‌ ଟ୍ରେନ୍‌ରେ ୪୦ଟଙ୍କା ଦେବାକୁ ପଡ଼ୁଥିଲା । କିନ୍ତୁ କରୋନା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱତନ୍ତ୍ର ଟ୍ରେନ୍‌ ନାଁରେ ଟିକଟ ମୂଲ୍ୟ ୭୦ଟଙ୍କାକୁ ମୂଲ୍ୟ ବୃଦ୍ଧି କରାଯାଇଥିଲା । କରୋନା କଟକଣା ହଟିବା ପରେ ମଧ୍ୟ ଏହି ନିୟମ ବଳବତ୍ତର ରହିଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ୩ଟି ପାସେଞ୍ଜର୍‌ ଟ୍ରେନ୍‌ ଗଡ଼ୁଛି । ସକାଳ ୫ଟା ୪୫ ମିନିଟ୍‌ରେ ବ୍ରହ୍ମପୁର ଷ୍ଟେସନ୍‌ରୁ ପଲାସା-କଟକ ପାସେଞ୍ଜର୍‌ ଟ୍ରେନ୍‌ ଛାଡ଼ୁଥିବା ବେଳେ ସକାଳ ୭ଟାରେ ଗୁଣପୁର-କଟକ ମେମୁ ଟ୍ରେନ୍‌ ଛାଡ଼ିଥାଏ । ସେହିପରି ସକାଳ ୮ଟା ୨୦ମିନିଟ୍‌ରେ ବ୍ରହ୍ମପୁର ଷ୍ଟେସନ୍‌ରୁ ପଲାସା-ଭୁବନେଶ୍ୱର ପାସେଞ୍ଜର୍‌ ଟ୍ରେନ୍‌ ଛାଡ଼ିଥାଏ ।

Leave A Reply

Your email address will not be published.