- ଅନୁସନ୍ଧାନରେ ଛତ୍ରପୁର ବିଧାୟକଙ୍କ ଅଚାନକ ଗସ୍ତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଗୁରୁବାର ଅଚାନକ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯାଇ ଅଫିସ୍ର କାର୍ଯ୍ୟକଳାପ ସମ୍ବନ୍ଧରେ ଜାଣିବାକୁ ଯାଇ ଅନୁସନ୍ଧାନ କରିଥିଲେ । ଶ୍ରମ କାର୍ଡ ପ୍ରଦାନ କ୍ଷେତ୍ରରେ ଦଲାଲ୍ଗିରି କରୁଥିବା ଲୋକମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ କହିଛନ୍ତି । ପ୍ରକାଶ ଥାଉକି, ବାଟରେ ଯାଉଥିବା ବେଳେ କିଛି ମହିଳାଙ୍କ ଗହଳ ଚହଳ ଦେଖି ବିଧାୟକ ଅଟକି ଯାଇଥିଲେ । ଆଉ ପଚାରି ବୁଝିଥିଲେ, ଅପେକ୍ଷାରତ ଶ୍ରମିକ ମାଆ ମାନଙ୍କ ଦୁଃଖ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇ ବିଧାୟକ ଅଚାନକ ଶ୍ରମ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଜିଲ୍ଲା ଶ୍ରମ ଅଧିକାରୀ ଓ ଅତିରିକ୍ତ ଶ୍ରମ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଗରୀବ ଶ୍ରମିକମାନଙ୍କ ସମସ୍ୟାକୁ କାହିଁକି ସମାଧାନ କରାଯାଉ ନାହିଁ ବୋଲି ବିଭାଗୀୟ ଶ୍ରମ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ । ଶ୍ରମ କାର୍ଡ ପିଛା ୩୦୦୦ରୁ ୩୫୦୦ ଟଙ୍କା ଆଦାୟ ହେଉଥିବା ଲୋକଙ୍କ ଅଭିଯୋଗ ବିଷୟରେ ପ୍ରଶ୍ନ କରିଥିଲେ । ସୂଚନା ଥାଉକି, ବିଧାନ ସଭାରେ ବିଧାୟକ ବହୁବାର ନିଜ ଅଞ୍ଚଳରେ ଥିବା ଗ୍ରାସୀମ, ଟିଟାନିୟମ, ଗୋପାଳପୁର ବନ୍ଦର ଟାଟା, ଆଇ.ଆର୍.ଇ.ଏଲ୍ ପ୍ରତିଷ୍ଠାନରେ ଏବଂ ବହୁ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟରତ ଆମ ଅଞ୍ଚଳରେ କେତେ ଜଣ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି, ଅନ୍ୟ ଜିଲ୍ଲା ଓ ରାଜ୍ୟର କେତେ ଯୁବକ, ଯୁବତୀ ନିଯୁକ୍ତି ପାଇଛନ୍ତି, ତାହାର ତାଲିକା ଅଛି କି ? ବୋଲି ବିଧାୟକ ପଚାରି ବୁଝିଥିଲେ । ଆପଣଙ୍କ ପାଖରେ ସରକାରୀ ଭାବେ କଣ ତଥ୍ୟ ଅଛି ବୋଲି ବିଧାୟକ ପଚାରିଥିଲେ । କିନ୍ତୁ ବିଧାୟକଙ୍କ ପ୍ରଶ୍ନରେ ସନ୍ତୋଷଜନକ ଉତ୍ତର ଦେଇନଥିଲେ । ଜିଲ୍ଲା ଶ୍ରମ ଅଧିକାରୀଙ୍କ କଥାବାର୍ତ୍ତାରେ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । ଜନସାଧାରଣଙ୍କ କାର୍ଯ୍ୟରେ ଅବହେଳା କଲେ ମୋହନ ସରକାରରେ ତ୍ରାହି ନାହିଁ ବୋଲି ଦୃଢ଼ତାର ସହ ମତବ୍ୟକ୍ତ କରିଥିଲେ । ଆମ ଜିଲ୍ଲାରେ ଉପଯୁକ୍ତ ଲୋକଙ୍କୁ ଲେବର କାର୍ଡ ପ୍ରଦାନ କରିବା ସାଂଗକୁ କଳାବଜାରୀ, ଦଲାଲ୍ଗିରି କରୁଥିବା ଲୋକଙ୍କର ଶ୍ରମ କାର୍ଡ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ ଶ୍ରମ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ । ତେଣୁ ବିଧାୟକ ସମସ୍ତ ଲୋକଙ୍କର ନିରୀକ୍ଷଣ କରି ଶ୍ରମଜୀବୀଙ୍କୁ ଯଥା ଶୀଘ୍ର ଶ୍ରମ କାର୍ଡ ପ୍ରଦାନ କରିବା ବିଧି ଶେଷ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ ।