- ଖୋଲା ଡ୍ରେନ ଯୋଗୁଁ ହେଉଛି ମଶା ବଂଶବୃଦ୍ଧି, ବ୍ୟାପୁଛି ଫାଇଲେରିଆ
ଶତ ପ୍ରତିଶତ ଔଷଧ ସେବନର ଆବଶ୍ୟକତା
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଫାଇଲେରିଆ ରୋଗ ନିରାକରଣ ପାଇଁ ଚାଲିଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ଦଳ ବୁଧବାର ଦିନ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ କଛାରପାଲି ଗସ୍ତରେ ଆସିଥିଲେ । ଏହି ଦଳ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ସମୀକ୍ଷା ବୈଠକ କରିଥିଲେ ଏବଂ ଏମ୍ଡିଏ କର୍ଣ୍ଣର ପରିଦର୍ଶନ କରିଥିଲେ । ବ୍ଲକ ଡାକ୍ତରଖାନାରେ କେନ୍ଦ୍ରୀୟ ଦଳକୁ ସ୍ଵାଗତ କରିବା ସହ ଏହି ଅଭିଯାନର ଅଗ୍ରଗତି ସମ୍ପର୍କରେ ଅଧିକ୍ଷକ ଡ଼. ଚିତ୍ତରଞ୍ଜନ ମିଶ୍ର ଅବଗତ କରାଇଥିଲେ । ଏହି ଗସ୍ତରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ରମେଶ ଚନ୍ଦ୍ର ସାହୁ, ଡ. କୁବେର ଚନ୍ଦ୍ର ମହନ୍ତ, ଡ଼ା. ନିଶିଥ ରଞ୍ଜନ ଦାଶ, ଭିବିଡି କନ୍ସନ୍ଟାଣ୍ଟ ସୁରେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଡ଼ା. ବଦ୍ରି ଥପା ଏହି କେନ୍ଦ୍ରୀୟ ଦଳର ନେତୃତ୍ୱ ନେଇଥିବା ବେଳେ ଡ଼ା. ବିଶ୍ଵପ୍ରକାଶ ଦତ୍ତ ସହଯୋଗ କରିଥିଲେ । ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିପିଏମ୍ ପରେଶ ସାହୁ, ସ୍ୱାସ୍ଥ୍ୟ କର୍ମୀ ସୁରଜିତ ପଣ୍ଡା, ସ୍ମରଣିକା ସାହୁ, ଆଶା – ପ୍ରେମଲତା ରଣା, ସୁପରଭାଇଜର ପରକ୍ଷୀତ ବେଜ୍, ବିଡ଼ିଏମ୍ ବିପ୍ଳବ ମିଶ୍ର, ଶିବପ୍ରସାଦ ଦାଶ, ସମୀର ସିଂ, ପିଏଚ୍ଇଓ ସ୍ନେହଲତା ସାହୁ, ଡ଼ା. ପ୍ରମୋଦ ସାହୁ, ଡ଼ା. ମମତମୟୀ ଦାଶ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ଦଳ କଛାରପାଲି ଗାଁର ଅନେକ ଘର ବୁଲି କାର୍ଯ୍ୟକ୍ରମର ସଫଳତା ପାଇଁ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହ ରୋଗ ନିରାକରଣ ଦିଗରେ ମାର୍ଗଦର୍ଶନ କରିଥିଲେ । ଦେଓଗାଁ ବସ୍ତି ଭିତରେ ଥିବା ଅପରିଷ୍କାର ଖୋଲା ଡ୍ରେନକୁ ମଶା ବଂଶ ବୃଦ୍ଧି ପାଇଁ ସହାୟକ ହେଉଥିବା ବେଳେ ଏହା ରୋଗ ନିରାକରଣ ଦିଗରେ ସମସ୍ୟା ସୃଷ୍ଠି କରୁଥିବା ନେଇ ଆଶଙ୍କା ସୃଷ୍ଟି କରିଛନ୍ତି କେନ୍ଦ୍ରୀୟ ଡାକ୍ତରୀ ଦଳ । କଛାରପାଲି ଏକ ଫାଇଲେରିଆ ପଜିଟିଭ ଗାଁ ହୋଇଥିବାରୁ ଏଠାରେ ଶତ ପ୍ରତିଶତ ଔଷଧ ସେବନର ଆବଶ୍ୟକତା ରହିଛି ବୋଲି କହିଥିଲେ ।