ବାଲୁକା ଶିଳ୍ପୀଙ୍କୁ ଆର୍ଥିକ ସହାୟତା କଲେ ଡାକ୍ତର ଦମ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକତା ଥିବା ବିଷୟ ଖବରକାଗଜରେ ପ୍ରକାଶିତ ହେବା ପରେ ଆଜି ବରଗଡ଼ର ଜଣାଶୁଣା ସମାଜସେବୀ ଦମ୍ପତ୍ତି ଡାକ୍ତର ରାଜେଶ ତ୍ରିପାଠୀ ଏବଂ ଡାକ୍ତର ସୁସ୍ମିତା ତ୍ରିପାଠୀ କାର୍ତ୍ତିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କାର୍ତ୍ତିକଙ୍କ ପେଟ ରୋଗ ଜନିତ ଗଭୀର ସମସ୍ୟା ଥିବା ଯୋଗୁଁ କଟକର ଡାକ୍ତରଙ୍କ ଦ୍ବାରା ସେ ଚିକିତ୍ସିତ ହେଉଛନ୍ତି ଏବଂ ମାସକୁ ଔଷଧ ବାବଦରେ ୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଖର୍ଚ୍ଚ ହେଉଥିବା ଜଣାପଡ଼ିଛି । ଏତିକି ଅର୍ଥ ଯୋଗାଡ଼ କରିବା ଗରିବ ପରିବାର ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଏଠାରେ ସୂଚନାଯୋଗ୍ୟ ଯେ, କାର୍ତ୍ତିକ ନାଏକ ବାଲୁକା କଳା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ତାଙ୍କ କଳା ମାଧ୍ୟମରେ ପ୍ରଦାନ କରିଥାନ୍ତି । ଆଜି ଡାକ୍ତର ଦମ୍ପତ୍ତି କାର୍ତ୍ତିକ ଏବଂ ତାଙ୍କ ବାପା ଘାସିରାମଙ୍କୁ ବରଗଡ଼ ଭଟଲି ଛକ ନିକଟରେ ଥିବା ସାଇକୃପା ନର୍ସିଂହୋମକୁ ଡକାଇ ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହିତ ପ୍ରାରମ୍ଭିକ ପର୍ୟ୍ୟାୟରେ ଆଜି ୧୦ ହଜାର ଟଙ୍କାର ଆର୍ଥିକ ସହାୟତା କରିଛନ୍ତି । ଏହା ସହିତ ଯଦି ଅସ୍ତ୍ରୋପଚାରରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ କାର୍ତ୍ତିକଙ୍କୁ ସାଇକୃପା ନର୍ସିଂହୋମ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଡାକ୍ତର ଦମ୍ପତ୍ତି ପ୍ରତିଶ୍ରୁତି ଦେଇଛନ୍ତି । ଏହି ମହାନୀୟତା ପାଇଁ ବଦାନ୍ୟ ବନ୍ଧୁ ତରଫରୁ ଉଭୟ ଡାକ୍ତରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

jittmm
Leave A Reply

Your email address will not be published.