
ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ବୌଦ୍ଧ (୮୬)ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀଭାବରେ ସରୋଜ କୁମାର ପ୍ରଧାନ ସବକଲେକ୍ଟର ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଣ୍ଟାମାଳ(୮୫)ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ଭାବରେ କହ୍ନେଇ ଡାଙ୍ଗ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ରଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ବୌଦ୍ଧ ବିଧାନସଭା ପ୍ରାର୍ଥୀ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଓ କନ୍ଧମାଳ ଲୋକସଭା ବିଜେପିୀ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ସହିତ ବୌଦ୍ଧର ସୁପ୍ରସିଦ୍ଧ ରଘୁନାଥ ମନ୍ଦିରରେ ଶ୍ରୀ ରଘୁନାଥଙ୍କ ଦର୍ଶନ କରି ତଥା ଆଶିର୍ବାଦ ନେଇ ସେଠାରୁ ବିଶାଳ ଜନସମୁଦ୍ରର ସମର୍ଥନରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉଭୟ ନିର୍ବାଚନ ମଣ୍ଡଳିର ଦାୟିତ୍ୱରେ ଥିବା ରିଟନିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ହଜାର ହଜାର ସମର୍ଥକ ଜୟ ଶ୍ରୀରାମ, ଭାରତମାତା କି ଜୟ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ, ବିଜେପି ଜିନ୍ଦାବାଦ, ଇସ୍ ବାର୍ ଚାର୍ ସୋ ପାର୍, ଯୋଡ଼ି ଫୁଲ ଭାରି ଭଲ, ଆଦି ସ୍ଲୋଗାନ୍ ଦେଇ ଆଗେଇ ଚାଲିଥିବା ବେଳେ ଏକାଧିକଡିଜେ ଓ ବ୍ୟାଣ୍ଡ ବାଜାର ଶବ୍ଦରେ ସାରା ସହର କମ୍ପି ଉଠିଥିଲା । ସରୋଜ ପ୍ରଧାନଙ୍କ ପୂର୍ବରୁ ତାଙ୍କ ବଡ଼ଭାଇ ସୁଶାନ୍ତ ପ୍ରଧାନ ବିଜେପିରୁ ବୌଦ୍ଧ ପ୍ରାର୍ଥୀ ଭାବେ ଲଢ଼ି ଥିବା ବେଳେ ଏଥର ପ୍ରଥମ ଥର ପାଇଁ ସରୋଜ କୁମାର ପ୍ରଧାନ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ତେବେ କଣ୍ଟାମାଳ ନିର୍ବାଚନ ମଣ୍ଡଳିରୁ ଦ୍ଵିତୀୟ ଥର ପାଇଁ ଦଳରୁ ବିଧାୟକ ପ୍ରାର୍ଥୀ ଭାବରେ ଶ୍ରୀ ଡାଙ୍ଗ ପ୍ରାର୍ଥିପତ୍ର ଦାଖଲ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଚଳିତ ୨୦୨୪ ସାଧାରଣ ନିର୍ବାଚନ ବୌଦ୍ଧରେ ତ୍ରିମୁଖି ଲଢେଇ ହେବାର ସମ୍ଭାବନା ରହିଥିବା ବେଳେ ଉଭାୟ ବୌଦ୍ଧ ଓ କଣ୍ଟମାଳରେ ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ପ୍ରାର୍ଥୀପତ୍ର ଦାଖଲ ପରେ ଶ୍ରୀ ପ୍ରଧାନ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଓ ତାଙ୍କ ପରେ କଣ୍ଟାମାଳ ପ୍ରାର୍ଥୀ ଶ୍ରୀ ଡାଙ୍ଗ ସାମ୍ବାଦିକଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ।