ବନ୍ଧୁକ ମୁନରେ ଡକାୟତି : ଟ୍ରାନ୍ସକାର୍ଟ ମେନେଜମେଣ୍ଟ ପ୍ରାଇଭେଟ ଲିମିଟେଡ଼ର ଟ୍ରାନ୍ସପୋର୍ଟ ଭେନ୍ ଲୁଟ ଘଟଣାରେ ଗାଡି ସହ ୭ ଡ଼କାୟତ ଗିରଫ
ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ନୁନହାଡ଼ ଗ୍ରାମ ନିକଟରେ ଏକ ବଡ ଧରଣର ଲୁଟ ହୋଇଥିବା ବେଲପଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗତ ଜାନୁଆରୀ ୧୧ ତାରିଖ ରାତି ୧୧ଟା ବେଳେ ଇକମ ଏକ୍ସପ୍ରେସ୍ର ସାମଗ୍ରୀ ଭବାନୀପାଟଣାରୁ ଟ୍ରାନ୍ସକାର୍ଟ ମେନେଜମେଣ୍ଟ ପ୍ରାଇଭେଟ ଲିମିଟେଡ଼ର ଟ୍ରାନ୍ସପୋର୍ଟ ଭେନରେ ବେଲପଡା, କଣ୍ଟାବାଞ୍ଜି, ରାଜଖଡିଆଲ ଦେଇ ନୂଆପଡା ଯାଉଥିବା ବେଳେ ଲିଫ୍ଟ ମାଗିବା ବାହାନାରେ ନକଲି ବନ୍ଧୁକ ଦେଖାଇ ଗାଡିଟିକୁ ବେଲପଡା ଥାନା ନୁନହାଡ଼ ଅଞ୍ଚଳରୁ ଅପହରଣ କରିନେଇଥିଲେ ଡକାୟତମାନେ । ଭେନ ଭିତରେ ସାତରୁ ଆଠ ଲକ୍ଷ ଟଙ୍କାର ସାମଗ୍ରୀ ଥିବା ନେଇ ଟ୍ରାନ୍ସକାର୍ଟ ମେନେଜମେଣ୍ଟ ପ୍ରାଇଭେଟ ଲିମିଟେଡ଼ର ମ୍ୟାନେଜର ସୁମିତ ପ୍ରଧାନ ବେଲପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିସିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ପାଟଣାଗଡ଼ ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ପ୍ରତିନିଧିତ୍ୱରେ ଦୁଇଟି ପୋଲିସ ଟିମ୍ ଗଠନ କରି ବଲାଙ୍ଗିର ସାଇବର ସେଲର ସହଯୋଗରେ ୭ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଏନେଇ ବେଲପଡା ଥାନା କେସ ନଂ ୧୩/୨୦୨୪ରେ ଭାରତୀୟ ପେନାଲକୋର୍ଡର ଧାରା ୩୯୪/୩୯୫/୧୨୦ବିରେ ଅଭିଯୁକ୍ତ ପିଣ୍ଟୁ ଝା(୨୦), ପ୍ରଶାନ୍ତ କୁମ୍ଭାର ଓରଫ ରିକି(୧୯), କରନ ବାଗ (୨୩), ତୁଲାଚନ୍ଦ୍ର ଶବର ଓରଫ ସୁମନ୍ତ (୧୮), ରାହୁଲ ପରାଭୂଏ(୨୨)ଙ୍କ ସହ ଦୁଇ ଜଣ ନାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍ଡିପିଓ ଶ୍ରୀ ଭୁକ୍ତା ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତ ରାଜଖଡ଼ିଆଳ ଏବଂ କଣ୍ଟାବାଞ୍ଜି ଥାନା ନୂଆପଡା ଅଞ୍ଚଳର ହୋଇଥିବା ଜଣାପଡିଛି । ଡକାୟତମାନଙ୍କଠାରୁ ଗୋଟିଏ ନକଲି ବନ୍ଧୁକ, ୧୦ ଟି ମୋବାଇଲ, କପଡା, ଇଅରଫୋନ, ମେଡ଼ିସିନ ଏବଂ ଲୁଟ ହୋଇଥିବା ଗାଡି ଜବତ କରିଥିବା ବେଳେ ଉକ୍ତ ଘଟଣାରେ ଆହୁରି ଦୁଇଜଣ ଡକାୟତଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି । ଏହି ଡାକୟତମାନଙ୍କୁ ଧରିବାରେ ବେଲପଡା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ଟିମ୍ ଏବଂ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କ ଟିମ୍ ଦୁଇ ଦିନ ମଧ୍ୟରେ ଡକାୟତମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ପୋଲିସର ଏପରି ତ୍ୱରିତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ ।