
- ପୁଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ
ରାଉରକେଲା, (ସସ୍ସ୍ମିତା ପ୍ରଧାନ) : ଗୁରୁବାର ୨୪ ତାରିଖ ରାତି ପ୍ରାୟ ୧୧ଟା ସମୟରେ ବିଶ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗୃ ଢାବାରୁ ଡକାୟତି କରିବାକୁ ୪ ଜଣ ବ୍ୟକ୍ତି ଆସି ବନ୍ଧୁକ ଓ ଛୁରୀ ଦେଖାଇ ଡକାୟତି କରିଥିଲେ । ସେମାନେ ସେଠାରୁ ୨୦ହଜାର ଟଙ୍କା ନେଇ ପଳାଇ ଯାଉଥିବା ସମୟରେ ଢାବା ମାଲିକ ପ୍ରତିବାଦ କରିବାରୁ ତାଙ୍କୁ ଡକାୟତମାନେ ଗୁଳି ଚଳାଇ ଆହତ କରିଥିଲେ । ଢାବା ମାଲିକଙ୍କ ଗୋଡରେ ଗୋଟିଏ ରାଉଣ୍ଡ ଗୁଳି ବାଜିବା ପରେ, ଢାବା ମାଲିକଙ୍କ ସ୍ତ୍ରୀ ପୋଲିସକୁ ଫୋନ୍ କରିଥିଲେ । ପୋଲିସ୍ ପହଞ୍ଚିବା ପୂର୍ବରୁ ଡକାୟତମାନେ ପଳାଇ ଯାଇଥିଲେ । ଏହି ରିପୋର୍ଟ ଆଧାରରେ ବିଶ୍ରା ଥାନାରେ କେସ୍ ନମ୍ବର ୧୬୦/୨୫-୪-୨୦୨୫ ରୁଜୁ କରାଯିବା ସହ ବିଏନ୍ଏସ୍ର ଧାରା ୩୧୦(୨)/୩୧୧ ଏବଂ ୨୫/୨୭ ଆର୍ମସ୍ ଆକ୍ଟରେ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ଏହି ଡକାୟତି ଘଟଣାରେ ବିଶ୍ରା ଥାନାର ଇନିସପେକ୍ଟର ଏମ୍ କୁମ୍ଭାର ମାମଲାର ତଦନ୍ତ କରିଥିଲେ । ବିଶ୍ରା ଥାନା ଅଧିକାରୀଙ୍କର ତ୍ୱରିତ, ନିର୍ଣ୍ଣାୟକ ଏବଂ ଚତୁର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗୋଟିଏ ବାଇକରେ ଆସୁଥିବା ୪ ଜଣ ଯୁବକଙ୍କୁ ଅଟଇବାରୁ ସେମାନେ ପୋଲିସ୍ ଉପରକୁ ଗୁଳି ଚାଳନା କରିଥିଲେ । ଅଭିଯୁକ୍ତ ଏବଂ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ଦଳ ମଧ୍ୟ ଗୁଳି ଚଳାଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଆହତ କରିଥିଲେ । ସେହି ଦୁଇ ଅଭିଯୁକ୍ତ ହେଲେ ବିଶ୍ରା ଥାନା ଜାତଟୋଲାର ଉଡୁଶୁ ଗ୍ରାମର ବାଣେଶ୍ୱର ସିଂହ (୨୦) ଏବଂ ଅଭିଯୁକ୍ତ ଶିବନାଥ ସିଂହ (୨୬)ଙ୍କ ଗୋଡ଼ରେ ଗୁଳି ବାଜିଛି । ଅନ୍ୟ ଜଣେ ଅଭିଯୁକ୍ତ ଗାଡ଼ି ସହିତ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସ୍ପି ନିତେଶ ୱାଧୱାନୀ ସୂଚନା ଦେଇଛନ୍ତି ।