lika

୧୦ ପୁରୁଷ ଓ ୧୦ ମହିଳା ଦାଦନ ଶ୍ରମିକଙ୍କ ସହ ୭ ଶିଶୁ ଶ୍ରମିକ ଉଦ୍ଧାର : ସର୍ଦ୍ଧାର ଓ ସହଯୋଗୀ ଗିରଫ

gbag

ପାଟଣାଗଡ, (ଗୋରେଖନାଥ ବରିହା) : ବଗଲାବନ୍ଦ ଗାଁର ଜନୈକ ଦାଦନ ସର୍ଦ୍ଧାର ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ପାଇଁ ବାହ୍ୟ ଜିଲ୍ଲାରୁ ୨୭ ଜଣ ଦାଦନ ଶ୍ରମିକକୁ ଆଣି ନିଜ କ୍ଷେତରେ ରଖିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପୁଲିସ ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ସ୍ଥାନରେ ଅତର୍କିତ ଭାବେ ଚଢ଼ାଉ କରି ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଏଥିସହ ଦାଦନ ଶ୍ରମିକ ଚାଲାଣରେ ସଂପୃକ୍ତ ଥିବା ଦାଦନ ସର୍ଦ୍ଧାର ମୋହନ ମେହେର ଓ ତାଙ୍କ ସହଯୋଗୀ ଥବିର ରାଜହଂସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବଗଲା ବନ୍ଦର ଦାଦନ ସର୍ଦ୍ଧାର ୨ ଦିନ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଦେହେରିପାଲି, ସୋନପୁର ଜିଲ୍ଲା ଡୁଙ୍ଗୁରପାଲି ଓ ବଲାଙ୍ଗିର ଜିଲ୍ଲା ଆଗଲପୁର ସାଲେଭଟା ଅଞ୍ଚଳର ଦାଦନ ଶ୍ରମିକମାନଙ୍କୁ ଆଣି ନିଜ କ୍ଷେତରେ ଥିବା ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଏକତ୍ରିତ କରୁଥିଲେ । ପାଟଣାଗଡ ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ବାହ୍ୟ ରାଜ୍ୟକୁ ଦାଦନ ଚାଲାଣ ହେବାକୁ ଥିବା ୧୦ ଜଣ ପୁରୁଷ ଓ ୧୦ ଜଣ ମହିଳା ଶ୍ରମିକଙ୍କ ସମେତ ୭ ଜଣ ଶିଶୁ ଶ୍ରମିକ ସହ ଦାଦନ ସର୍ଦ୍ଧାର ମୋହନ ଓ ସହଯୋଗୀ ଥବିରଙ୍କୁ ପାଟଣାଗଡ଼ ଥାନାକୁ ଆଣିଥିଲେ । ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ କୌଣସି କାଗଜ ପତ୍ର ସର୍ଦ୍ଧାର ଜଣକ ଦେଖାଇପାରି ନଥିଲେ । ଏହାପରେ ପୁଲିସ ପାଟଣାଗଡ଼ ଉପଖଣ୍ଡ ଅତିରିକ୍ତ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁଙ୍କୁ ଥାନାକୁ ଡାକିଥିଲେ । ଶ୍ରମ ଅଧିକାରୀ ଶ୍ରୀ ଭୂୟା ତଦନ୍ତ ପରେ ସର୍ଦ୍ଧାର ବେଆଇନ ଭାବେ ଶ୍ରମିକ ଚାଲାଣ କରିଥିବା ଜାଣିବାକୁ ପାଇଥିଲେ । ଯାହା ଫଳରେ ସର୍ଦ୍ଧାର ଓ ସହଯୋଗୀଙ୍କୁ କୋର୍ଟ ଚାଲାଣ କରିବା ସହ ଉର୍ଦ୍ଧାର ଶ୍ରମିକମାନଙ୍କୁ ଏକ ବସ ଯୋଗେ ନିଜ ନିଜ ଗାଁକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.