oum

ଦୀପାଙ୍କ ଉଦ୍ୟମ କ୍ରମେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ କଳାହାଣ୍ଡି ଜିଲ୍ଲାର ଦୁଇ ଦାଦନ ଶ୍ରମିକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକଙ୍କ ପ୍ରୟାସ କ୍ରମେ ଆନ୍ଧ୍ରପ୍ରଦେଶ ରାଜ୍ୟର ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ଼ାରେ ବନ୍ଧକ ଥିବା ଦୁଇ ଦାଦନ ଶ୍ରମିକ ଉଦ୍ଧାର ହୋଇ ନିଜସ୍ଵ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଧିନସ୍ତ ମଙ୍ଗଳପୁର ଗ୍ରାମର ସୋମନାଥ ହରିଜନଙ୍କ ପୁଅ ପୁର୍ଣ୍ଣଚନ୍ଦ୍ର ଓ ଉଦ୍ଧବ ହରିଜନଙ୍କ ପୁଅ ଯଶୋବନ୍ତ ହରିଜନ ଘରର ଆର୍ଥିକ ଅବସ୍ଥା ସୁଧାରିବା ନିମନ୍ତେ ସୁଦୁର ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ତାଙ୍କ ଗାଁ ନିକଟସ୍ଥ ସାସ୍ତୁଗୁଡା ଗ୍ରାମର ଜନୈକ ବ୍ୟକ୍ତି ଚାପଟୁ ହରିଜନ ମଧ୍ୟସ୍ଥତାରେ ଆନ୍ଧ୍ରପ୍ରଦେଶ ରାଜ୍ୟର କାକିନାଡ଼ା ଅଞ୍ଚଳର ପେଡାପୁଡି ଠାରେ ଥିବା ଦେବୀ ସି ଫୁଡ କମ୍ପାନୀରେ ମାଛ ଖାଦ୍ୟ ଦେବା କାମରେ ନିୟୋଜିତ ହେବା ପାଇଁ ଯାଇଥିଲେ । ଚାପଟୁ ସେମାନଙ୍କୁ ଛାଡି ଫେରି ଆସିଥିଲେ ମଧ୍ୟ ଉଭୟ ସେଠାରେ କାମ କରୁଥିଲେ । ଆଗକୁ ଗଣ ପର୍ବ ନୂଆଁଖାଇ ତେଣୁ ଦୁଇ ଶ୍ରମିକ ଗାଁକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କମ୍ପାନୀ ଦ୍ୱାରା ସେମାନଙ୍କ ଫୋନ ଛଡାଇ ନେବା ସହ ଗୃହରେ ବନ୍ଦ କରି ରଖୁଥିବା ନେଇ ଘର ଲୋକଙ୍କୁ ସୁଚନା ମିଳିଥିଲା ଯାହାକି ଅନେକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏପରିକି ସେମାନଙ୍କୁ ମାଡ଼ ମାରୁଥିବା ଯୋଗୁଁ କାନ, ନାକ ଓ ମୁଣ୍ଡରେ ଆଘାତ ପାଇଥିବା ନେଇ ଘର ଲୋକ ଶୁଣିବା ପରେ ଅସହାୟ ହୋଇ ପଡ଼ିଥିଲେ । ଏହି ଖବର ଜାଣିବା ପରେ ଉଭୟଙ୍କ ପିତା ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଜୟପାଟଣା ଥାନାରେ ପହଞ୍ଚି ନିବେଦନ କରିଥିଲେ । ଅନ୍ୟପଟେ ମଧ୍ୟସ୍ଥତା କରିଥିବା ସମ୍ପୃକ୍ତ ବ୍ୟକ୍ତି ଚାପଟୁ ଏବେ ଗାଁରୁ ଫେରାର ମାରିଥିବା ନିଜ ଦରଖାସ୍ତରେ ସୋମନାଥ ଓ ଉଦ୍ଧବ ପୁଲିସକୁ ଜଣାଇଥିଲେ । ଏହି ଖବର ଜାଣିବା ପରେ ସେମାନଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳର ସାମାଜିକ କର୍ମୀ ସୁଶ୍ରୀ ଦୀପା ବାରିକ । ଉଭୟ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟର ପୂର୍ବ ଗୋଦାବରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଯୋଗାଯୋଗ କରି ସମସ୍ୟା କହିଥିଲେ । ଏହା ପରେ ଆନ୍ଧ୍ରପ୍ରଦେଶ ପୋଲିସ ତତ୍ପର ହୋଇଥିଲା ଏବଂ ପେଡାପୁଡ଼ି ପୋଲିସ ଦୀପାଙ୍କୁ ଯୋଗାଯୋଗ କରି ସବିଶେଷ ତଥ୍ୟ ମାଗିଥିଲେ । ଘଟଣାର ସତ୍ୟାସତ୍ୟ ଜାଣିବା ପରେ ପେଡାପୁଡି ପୋଲିସ ଉଭୟ ଯୁବକଙ୍କୁ ଓଡ଼ିଶା ଫେରିବା ନିମନ୍ତେ ବ୍ୟବସ୍ଥା କରିଥିଲେ । ଦୀପାଙ୍କ ଏହି ପ୍ରୟାସ ପରେ ଉଭୟ ଶ୍ରମିକ ଘରକୁ ସକୁଶଳେ ଫେରି ଆସିଛନ୍ତି । ନିଜ ପୁଅକୁ ସକୁଶଳେ ଘରକୁ ଫେରିବା ଦେଖି ଉଭୟ ଶ୍ରମିକଙ୍କ ପିତା ଦୀପାଙ୍କୁ ଯୋଗାଯୋଗ କରି କୃତଜ୍ଞତା ଜ୍ଞାପନ କରିବା ସମୟରେ ଭାବ ବିହ୍ୱଳ ହୋଇ ଯାଇଥିଲେ । ଦୀପାଙ୍କ ଏହି ମାନବିକତା ପୂର୍ଣ୍ଣ କାର୍ଯ୍ୟକୁ ସମଗ୍ର ପଶ୍ଚିମ ଓଡ଼ିଶାରେ ଭୁୟସୀ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.