om academy

ଦାଦନ ଶ୍ରମିକ ଉଦ୍ଧାର କଲେ ନୂତନ ଥାନାଧିକାରୀ ରାକେଶ ବେହେରା

jsm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସଦର ଲାଠୋର ବସଷ୍ଟାଣ୍ଡ ନିକଟରୁ ପେଟ୍ରୋଲିଂ ବେଳେ ପୋଲିସ ୨ ଶିଶୁ ସମେତ ୯ ଜଣ ଦାଦନ ଶ୍ରମିକଙ୍କୁ ଶନିବାର ସନ୍ଧ୍ୟା ସମୟରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଲାଠୋର ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସନ୍ଧ୍ୟା ସମୟରେ ଲାଠୋର ବସଷ୍ଟାଣ୍ଡଠାରେ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ବସଷ୍ଟାଣ୍ଡଠାରେ ପହଞ୍ଚି ଶ୍ରମିକମାନଙ୍କୁ ପଚରା ଉଚୁରା କଲା ପରେ ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବଲିଆବାହାଲ ଗ୍ରାମର ସାଗର ଦାସ (୫୨) ନାମକ ଦାଦନ ସର୍ଦ୍ଦାର ପ୍ରଥମେ ଲାଠୋର ଏବଂ ପରେ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ କରୁଥିବା ପ୍ରକାଶ କରିଥିଲେ । ଏହାପରେ ସମସ୍ତଙ୍କୁ ଲାଠୋର ଥାନାକୁ ଅଣାଯାଇଥିଲା । ଶ୍ରମିକମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଗଝରଣ ଏବଂ ଡୁଡୁ୍ମଧରା ଗ୍ରାମର ବୋଲି କହିଥିଲେ । ମୋଟ ୫ ଜଣ ପୁରୁଷ, ୪ ଜଣ ମହିଳା ଓ ୨ଟି ଶିଶୁକୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠାଇ ଦେଇଥିବା ଜଣା ଯାଇଛି । ବେଆଇନ ଦାଦନ ଚାଲାଣ ଅଭିଯୋଗରେ ଦାଦନ ସର୍ଦ୍ଦାର ସାଗର ଦାସଙ୍କୁ ଘଟଣାସ୍ଥଳରୁ ଫେରାର ମାରୁଥିବା ସମୟରେ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏନେଇ ଲାଠୋର ଥାନା କେସ ନଂ ୪୫/୨୦୨୪ରେ ଭାରତୀୟ ପେନାଲକୋର୍ଡର ଧାରା ୩୭୦/୩୭୪/୪୧୭ ଏବଂ /୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ଲାଠୋର ଥାନା ଅଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି । ନୂତନ ଥାନାଧିକାରୀ ଭାବେ ଲାଠୋର ଥାନାରେ ଯୋଗଦେଲା ପରେ ଶ୍ରୀ ବେହେରାଙ୍କ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଭଳି କାର୍ଯ୍ୟକୁ ଅଞ୍ଚଳର ଜନସାଧାରଣ ଭୁରିଭୁରି ପ୍ରଶଂସା କରୁଥିବା ଜଣାପଡିଛି ।

Leave A Reply

Your email address will not be published.