
ଖପ୍ରାଖୋଲ, (କେପିଏନ୍ଏସ୍) : ଖପ୍ରାଖୋଲ ପୋଲିସ ଦ୍ୱାରା ରବିବାର ସକାଳ ୭ଟାରେ ୮ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଥାନା ମାଟିଖାଇ ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ରବିବାର ସକାଳୁ କୃପାମୟୀ ବସ ଯୋଗେ କିଛି ଦାଦନ ଶ୍ରମିକ ବଲାଙ୍ଗିରକୁ ଯାଉଥିବା ବେଳେ ପୋଲିସ ଖବର ପାଇ ମାଟିଖାଇ ଛଠାରେ ବସ ଉପରେ ଚଢାଉ କରି ୩ ଜଣ ପୁରୁଷ, ୩ ମହିଳା ଓ ୨ ଜଣ ନାବାଳିକା ଝିଅଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିବା ଜଣାପଡିଛି । ଶ୍ରମିକ ମାନଙ୍କୁ ପଚରାଉଚରା ପରେ ସେମାନେ ମାଟିଖାଇ ଗାଁର ଏବଂ ସେମାନେ ପ୍ରଥମେ ବଲାଙ୍ଗିର ଓ ପରେ ତାମିଲନାଡୁ ଯିବା କଥା ଜଣାପଡିଛି । ବେଆଇନ ଦାଦନ ଚାଲାଣ କରୁଥିବା ନେଇ ମାଟିଖାଇ ଗାଁର ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।