jayashree

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଶ୍ରମିକ : ଶ୍ରମ ବିଭାଗ ଘୁଙ୍ଗୁଡ଼ି ମାରୁଛି

  • ଲୋକ ଦେଖାଣିଆ ଟାସ୍କ ଫୋର୍ସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦେହ ଅସୁସ୍ଥ ଥିଲା ବେଳେ ବି ଟଙ୍କା ଆଗରୁ ଦେଇଥିବାରୁ କାମ କରାଇ ମାରିଦେଲେ ଇଟାଭାଟି ମାଲିକ ଓ ଦାଦନ ସର୍ଦାର, ଘରକୁ ଶବ ହୋଇ ଫେରିଲା ଘରୁ ସୁସ୍ଥ ସବଳ ହୋଇ ଯାଇଥିବା ମଣିଷ । ସୂଚନା ମୁତାବକ ପାଟଣାଗଡ଼ ଥାନା କୁହାବାଉଁଶ ଗ୍ରାମର ଶିବ ମାଝୀ ତାଙ୍କ ପରିବାର ଓ ଗ୍ରାମର ପ୍ରାୟ ୧୫ ଜଣ ଶ୍ରମିକଙ୍କୁ ଖପ୍ରାଖୋଲର ଦାଦନ ସର୍ଦ୍ଦାର ଅଶୋକ ବାରିକ ତେଲେଙ୍ଗାନା ରାଜ୍ୟ ସ୍ଥିତ ହାଇଦ୍ରାବାଦର ସାମସାରିବାଦ ଜିଲ୍ଲା କାପାଗୁଡାର ଗୋପାଳ ସେଠଙ୍କ ଇଟାଭାଟିରେ କାମ କରିବା ପାଇଁ ପଠାଇ ଥିଲେ । ଇଟାଭାଟିରେ ଅତ୍ୟଧିକ କାମ ହେତୁ ଶିବ ମାଝୀଙ୍କୁ ଜ୍ଵର ହୋଇଥିବା ବେଳେ ଚିକିତ୍ସା ନକରି କାମ କରିବା ପାଇଁ ବାଧ୍ୟ କରିବା ସହିତ କାମ ନ କଲେ ନିର୍ଯ୍ୟାତନା ଦେଉଥିଲା ଇଟାଭାଟି ମାଲିକ ବୋଲି ପରିବାର ଲୋକ କହିଛନ୍ତି । ଦାଦନ ସର୍ଦ୍ଦାର ଅଶୋକ ବାରିକଙ୍କୁ ଫୋନ କରି ଜଣାଇଥିଲେ ମଧ୍ୟ ଟଙ୍କା ନେଇଛ କାମ କର ନ ହେଲେ ଟଙ୍କା ସୁଧ ସହିତ ଫେରାଅ ବୋଲି ଧମକ ଦେଉଥିଲେ । ଏଣୁ ଦେହ ଅସୁସ୍ଥ ଥାଇ ମଧ୍ୟ ମାଲିକ ଓ ଦାଦନ ସର୍ଦ୍ଦାରଙ୍କ ପାଖରେ କ୍ରୀତଦାସ ପରି କାମ କରି ଜୀବନ ହାରିଲେ ବିଚରା ଶିବ ମାଝୀ । ପରିବାର ଲୋକଙ୍କ ଲେବର ଅଫିସରଙ୍କୁ ଅନୁରୋଧ ପରେ ମାଲିକ ଶବକୁ ଗାଁକୁ ପଠାଇ ଦେଇଥିବା ବେଳେ ଦାଦନ ସର୍ଦ୍ଦାର ମୁଁ ଉପଯୁକ୍ତ କାଗଜପତ୍ର କରି ନେଇଛି ମୋର କାହାକୁ ଡରିବାର ନାହିଁ କି ପରିବାରକୁ ସମବେଦନା ଜଣାଇବାର ନାହିଁ ବୋଲି କହି ବୁଲୁଥିବା ଶୁଣିବାକୁ ମିଳୁଛି । ଉପଯୁକ୍ତ କାଗଜପତ୍ର କରି ନେଇଥିବା କଥାକୁ ପରିବାର ତରଫରୁ ଖଣ୍ଡନ କରାଯାଇଥିବାବେଳେ ଗରିବ ପରିବାର ପାଖରେ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ପଇସା ନଥିବା ପ୍ରକାଶ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାଗଜପତ୍ର କରି ନେବା ଅର୍ଥ କଣ କ୍ରୀତଦାସ କରି ଖଟାଇବା କି ? ସରକାର ଲାଇସେନ୍ସ ଦେଇ ଗରିବ ନିରୀହ ଲୋକଙ୍କୁ ଦାଦନ ସର୍ଦ୍ଦାରଙ୍କ ମାଧ୍ୟମରେ ଇଟାଭାଟି ମାଲିକଙ୍କ ପାଖରେ କ୍ରୀତଦାସ ଭାବରେ ବିକ୍ରି କରିଦେଉଥିବା ଜନସାଧାରଣରେ ଆଲୋଚନା ହେଉଛି । ବାରମ୍ବାର ଶ୍ରମିକ ମାନେ ଦାଦନ ଖଟିବାକୁ ଜାଇ ନିର୍ଯ୍ୟାତିତ ହେଉଥିବା ବେଳେ ଦାଦନ ଋତୁ ଆରମ୍ଭରେ ପ୍ରଶାସନ ତରଫରୁ ଦାଦନ ସଚେତନତା ଶିବିର କରି ଲୋକଙ୍କୁ ଭୁଆଁ ବୁଲାଇବା ଗୋଟିଏ ମଜାକ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.