ବଲାଙ୍ଗିର, (କେପିଏନ୍ଏସ୍) : ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଆନ୍ଧ୍ରପ୍ରଦେଶରେ ବନ୍ଧା ପଡ଼ିଛନ୍ତି ୧୬ ଶ୍ରମିକ । ବନ୍ଧା ପଡ଼ିଥିବା ୧୬ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବଲାଙ୍ଗିର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୁରିବାହାଲ ଥାନା ଅନ୍ତର୍ଗତ କତର୍ଲଗା ଗାଁର ସୀତାକାନ୍ତ ବାଗ ଓ ତାଙ୍କ ପତ୍ନୀ ଅହଲ୍ୟା ବାଗ । ଅହଲ୍ୟା କହିଛନ୍ତି ଯେ, ସେମାନେ ସ୍ୱାମୀ ସ୍ତ୍ରୀ ସହ ୧୮ ଜଣ ଇଟା ଗଢ଼ିବା ପାଇଁ ଆନ୍ଧ୍ରପ୍ରଦେଶର ସାରଗମ୍ ଜିଲ୍ଲା ଅନ୍କାପଲିକୁ ଯାଇଥିଲେ । ସେଠାରେ ମାସେ କାଳ ଭଲରେ ରହିବା ପରେ ଭାଟି ମାଲିକ ଦାଉ ସାଧିବା ଆରମ୍ଭ କଲା । ଦିନକୁ ୧୯ ଘଂଟା କାମ କରିବାକୁ ବାଧ୍ୟ କଲା । ଠିକ୍ ଭାବେ ଖାଇବା ପିଇବାକୁ ଦେଲା ନାହିଁ । ମାର୍ପିଟ୍ ମଧ୍ୟ କଲା । ଚିକିତ୍ସା ସୁବିଧା ବି ଦେଲା ନାହିଁ । ଅତି ଅସହ୍ୟ ହେବା ପରେ ସୀତାକାନ୍ତ ଓ ଅହଲ୍ୟା ସେଠାରୁ ଲୁଚି କୌଶଳ କ୍ରମେ ନିଜ ଗାଁକୁ ଚାଲି ଆସିଥିବା ବେଳେ ସେଠାରେ ବନ୍ଧକ ଥିବା ୧୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବଲାଙ୍ଗିର ଏସ୍ପିଙ୍କ ପାଖରେ ଗୁହାରି କରିଛନ୍ତି ।