om academy

ଦାଦନ ଦୁଃଖ ଥମିବାର ନାମ ନେଉ ନାହିଁ : ୨୪ ଦିନରେ ୫୯ ଦାଦନ ଶ୍ରମିକ ଉଦ୍ଧାର, ୮ ଜଣ ସର୍ଦ୍ଦାର ସହ ଜଣେ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ

jsm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦାଦନ ଦୁଃଖ ଥମିବାର ନାମ ନେଉନାହିଁ । ବିଭିନ୍ନ ସମୟରେ ଅକଥନୀୟ ପରିସ୍ଥିତିରେ ଉଦ୍ଧାର ହେଉଛନ୍ତି ଦାଦନ ଶ୍ରମିକ । ସଚେତନତା ଅଭାବ ଏବଂ ଟଙ୍କା ଲୋଭରେ ଅକାଳରେ ପଡ଼ୁଛନ୍ତି ଗରିବ ଶ୍ରମିକ । ରାଜ୍ୟରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଓ ମୋଟା ଅର୍ଥ ଉପାର୍ଜନ କରିବା ସକାଶେ ନିଜର ଭିଟାମାଟି ଓ ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ହଇରାଣ ହେଉଥିବା ସଙ୍ଗେ ସଙ୍ଗେ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି । ବାରମ୍ବାର ପୋଲିସ ପ୍ରଶାସନ ତରଫରୁ ସଚେତନ କଲେ ମଧ୍ୟ ଦାଦନ ଖଟି ଯିବା ବନ୍ଦ ହେଉନାହିଁ । ସୂଚନା ଅନୁସାରେ ଗତ ୨୪ ଦିନ ମଧ୍ୟରେ ୫୯ ଜଣ ଦାଦନ ଶ୍ରମିକଙ୍କୁ ଖପ୍ରାଖୋଲ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠୋଇ ଦେଇଥିବା ଜଣାପଡିଛି । ସମସ୍ତ ଶ୍ରମିକ ଚାଉଳବାଞ୍ଜି, କୁଠୁର୍ଲା, ଡମନି ମାଲ, ମହରାପଦର, ଜୁନାନି ବାହାଲ, ଓଡ଼ିଆପାଲି, ଗାଇସିଲେଟ ଏବଂ ବରଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ୭ ଜଣ ପୁରୁଷ ସର୍ଦ୍ଦାର, ଜଣେ ମହିଳା ସର୍ଦ୍ଦାର ଏବଂ ଜଣେ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଥିବା ଖପ୍ରାଖୋଲ ପୁଲିସ ପକ୍ଷରୁ ଜଣାପଡିଛି । ସେହିପରି ଶନିବାର ସନ୍ଧ୍ୟାରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ହରିଶଙ୍କର ଛକ ନିକଟରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ବେଆଇନ ଭାବେ ଦାଦନ ଚାଲାଣ କରୁଥିବା ଦମେଇପାଲି ଗ୍ରାମର ଦାଦନ ସର୍ଦ୍ଦାର ନକୁଳ କୁମ୍ଭାର ଏବଂ ଡ୍ରାଇଭର ରଞ୍ଜିତ ପଟେଲଙ୍କୁ ଗିରଫ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୨୦/୨୦୨୩ରେ ଏକ ମାମଲା ଋଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କୁ ପଚାରିବାରୁ ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରିବା ପାଇଁ ବାରମ୍ବାର ପ୍ରୟାସ କରାଯାଉଛି ତଥାପି ସେମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.