oom

ଦାଦନ ଶ୍ରମିକଙ୍କ ଜୀବନ କ’ଣ ଶସ୍ତା ?

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ଦରିଦ୍ରତାର ତାଡନା ଏବଂ ପରିବାର ପରିପୋଷଣ ଓ ପେଟପାଟଣା ପାଇଁ ଘରଦ୍ୱାର ଛାଡି ବଲାଙ୍ଗିର, ନୂଆପଡା, କଳାହାଣ୍ଡି ପ୍ରମୁଖ ଜିଲ୍ଲାରୁ ବହୁ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି । ହେଲେ ପ୍ରତ୍ୟେକ ବର୍ଷ ବାହାର ରାଜ୍ୟରେ ଏହି ଦାଦନ ଶ୍ରମିକମାନେ ଭିନ୍ନ ଭିନ୍ନ ଭାବେ ବିଭିନ୍ନ ଲୋକଙ୍କ ଦ୍ୱାରା ଶାରୀରିକ, ମାନସିକ ଭାବେ ନିର୍ଯ୍ୟାତିତ ହେଉଥିବା ବେଳେ ନିରୀହ ଶ୍ରମିକମାନେ ଇଟାଭାଟିରେ ଖଟି ଖଟି ରୋଗଗ୍ରସ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଦିଗରେ ସ୍ଥାନୀୟ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ତରଫରୁ ଦୋଷୀମାନଙ୍କ ପ୍ରତି କୌଣସି ପଦକ୍ଷେପ ନିଆଯାଉ ନାହିଁ । ସରକାର ଏବଂ ପ୍ରଶାସନର ଏହି ମନୋଭାବ ଯୋଗୁଁ ଦାଦନ ଶ୍ରମିକର ଜୀବନ ବହୁତ ଶସ୍ତା ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଚାଲିଛି । ବାହାର ରାଜ୍ୟରେ ଗୋତି ଖଟିଥିବା ଏହି ଶ୍ରମିକମାନଙ୍କ ଯାତନାର ଅନ୍ତ କେବେ ତାହା ବିରାଟ ପ୍ରଶ୍ନବାଚୀ ? ତେବେ ଗତ ୧୫ ଦିନ ଭିତରେ ଠିକ ଏଭଳି ତିନୋଟି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ନାନ୍ଦୁପଲା ଗ୍ରାମର ବୈଶାଖୁ ବରିହା (୪୫), ପାଟଣାଗଡ଼ ବ୍ଲକ ଠେଲକୋଛାପର ଗ୍ରାମର ବିଦେଶୀ ଦୀପ ଏବଂ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନବାଡି ଗ୍ରାମର ଚାରି ବର୍ଷର ଗୋଟିଏ ଶିଶୁ ଏମାନେ ତେଲେଙ୍ଗାନା ରାଜ୍ୟର ପଇଦାପଲ୍ଲୀ ସ୍ଥିତ ଇଟାଭାଟିରେ ଖଟି ରୋଗଗ୍ରସ୍ତ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ବୈଶାଖୁ ବରିହାଙ୍କ ବଡଭାଇ ଚନ୍ଦ୍ରଭାନୁ ବରିହାଙ୍କ କହିବା ଅନୁଯାୟୀ ସଦର ଲାଠୋର ଗ୍ରାମର ଦାଦନ ସର୍ଦ୍ଦାର ପଦ୍ମନାଭ ନାଏକ ନିରୀହ ବୈଶାଖୁଙ୍କୁ କିଛି ଟଙ୍କା ବଇନା ଦେଇ ବିନା କାଗଜ ପତ୍ରରେ ତେଲେଙ୍ଗାନାକୁ ପଠାଇଥିଲେ । ସେଠାରେ ଇଟାଭାଟି ମାଲିକ ଖରାରେ ଶ୍ରମିକଙ୍କୁ ବହୁ ପରିଶ୍ରମ କରାଇଥିବାରୁ ସେ ରୋଗଗ୍ରସ୍ତ ହୋଇ ୱାରଙ୍ଗଲ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି । ଠିକ ସେହିପରି ଠେଲକୋଛାପର ଗ୍ରାମର ବିଦେଶୀ ଦୀପ ମଧ୍ୟ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିଜନଙ୍କ କହିବାନୁଯାୟୀ ତିନିଜଣ ମୃତକ ଝାଡାବାନ୍ତି ହୋଇ ମୃତ୍ୟୁବରଣ କରିଛନ୍ତି । ମୃତକମାନଙ୍କ ଆଇନ ଅନୁଯାୟୀ କାଗଜ ପତ୍ର ନ କରି ନିରୀହ ଲୋକଙ୍କୁ ଟଙ୍କା ଲୋଭରେ ଇଟାଭାଟି ମାନଙ୍କରେ ବିକ୍ରି କରୁଥିବା ଲୋକଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମୃତକ ମାନଙ୍କ ପରିବାର ଲୋକଙ୍କୁ ଏବଂ ଛୁଆପିଲାଙ୍କୁ ଦାଦନ ସର୍ଦ୍ଦାର ଭରଣପୋଷଣ କରିବ ନା ସେମାନେ ସରକାର ଠୁ କିଛି ସହାୟତା ପାଇ ପାରିବେ କି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ଏହି ଘଟଣା ଘଟିଚାଲିଥିଲେ ମଧ୍ୟ ରୋକିବା ପାଇଁ ସରକାରଙ୍କ ସେପରି କୌଣସି ଯୋଜନା ନାହିଁ । ବାସ୍ତବରେ କେବିକେ ପ୍ରସଙ୍ଗରେ ସରକାର ଯେଉଁ ଚିତ୍ର ଦେଶକୁ ଦେଖାଉଛନ୍ତି ତାହା ଗ୍ରାମାଞ୍ଚଳ ସ୍ତରରେ କେତେ ଯେ ଦୁର୍ବଳ; ଏହା ସ୍ପଷ୍ଟ ହେଉଛି । ଯୋଜନା ପରେ ଯୋଜନା ଘୋଷିତ ହେଉଛି । ମାତ୍ର ଏହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚି ନପାରିବାରୁ ଦାଦନ ମୃତ୍ୟୁ ପରି କଳଙ୍କିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ।

jittmm
Leave A Reply

Your email address will not be published.