om academy

ଜିଲ୍ଲାରେ ବେଧଡ଼କ୍‌ ଶ୍ରମିକ ଚାଲାଣ ଜାରି ରହିଛି : ମାଳ ମାଳ ସରକାରୀ ଯୋଜନା ତୁଚ୍ଛ, ପ୍ରଶାସନ ସାଜିଛି ନିଦା ବିଷ୍ଣୁ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଶ୍ରମିକ ଚାଲାଣ ଋତୁ । ସର୍ଦ୍ଦାରମାନେ ଏବେ ବେଧଡ଼କ୍‌ ଶ୍ରମିକ ଚାଲାଣରେ ଲାଗି ପଡ଼ିଥିବା ବେଳେ ମାଳ ମାଳ ସରକାରୀ ଯୋଜନା ଶ୍ରମିକଙ୍କ ମୁହଁରେ ଆହାର ଯୋଗାଇ ଦେବାରେ ଫେଲ୍‌ ପ୍ରମାଣ ହୋଇଛି । ଅନ୍ୟପକ୍ଷରେ ନିଦା ବିଷ୍ଣୁ ସାଜିଛି ଜିଲ୍ଲା ପ୍ରଶାସନ । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରମିକଙ୍କ ହାତରେ କାମ ନାହିଁ । ପେଟ ପୋଷିବା ପାଇଁ ରାସ୍ତା ନାହିଁ । ମନରେଗା ଯୋଜନାରେ କାମ କଲେ ବି ଅନେକ କ୍ଷେତ୍ରରେ ଠିକ୍‌ ସମୟରେ ପାଉଣା ମିଳୁନାହିଁ । ଦାଦନ ସର୍ଦ୍ଦାରମାନେ ଏହି ସୁଯୋଗକୁ ହାତଛଡ଼ା ନ କରି ମେଲେଇ ଦେଇଛନ୍ତି ତାଙ୍କ ଶ୍ରମିକ ଚାଲାଣ ବେପାର । ଏବେ ବସ୍‌, ଟ୍ରେନ୍‌ ଯୋଗେ ପ୍ରତ୍ୟହ ଶ୍ରମିକ ଚାଲାଣ ହେଉଥିବା ବେଳେ ଚୁପ୍‌ ବସିଛି ପ୍ରଶାସନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି । ପୁଣି କାଁ ଭାଁ କେଉଁଠି କେମିତି ବେଆଇନ ଭାବେ ଚାଲାଣ ହେଉଥିବା କିଛି ଶ୍ରମିକଙ୍କୁ ଉଦ୍ଧାର କରିଦେଇ ନିଜ ଦାୟିତ୍ୱ ନିଭେଇ ସାରିଥିବା ଅନୁଭବୁଛି ପ୍ରଶାସନ ।

ଶ୍ରମ ବିଭାଗ ଅଧୀନରେ ଶ୍ରମିକ ସର୍ଦ୍ଦାରମାନେ ଶହେ ଜଣ ଶ୍ରମିକଙ୍କ ପାଇଁ ଲାଇସେନ୍ସ କରିଥିଲେ, ସେହି ଲାଇସେନ୍ସ ବଳରେ ମାଳ ମାଳ ଶ୍ରମିକ ଚାଲାଣ କରୁଥିବା ବେଳେ ଏଥିପ୍ରତି ପ୍ରଶାସନର ସାମାନ୍ୟ ମଧ୍ୟ ଦୃଷ୍ଟି ନଥିବା ଚର୍ଚ୍ଚା ଏବେ ଜୋର୍‌ ଧରିଛି । ବାଧ୍ୟ ହୋଇ ପେଟ ଚାଖଣ୍ଡକ ପାଇଁ ଶ୍ରମିକ ଏବେ ଚାଲାଣ ହେଉଛି ସର୍ଦ୍ଦାର ହାତରେ ବଇନା ନେଇ । ସର୍ଦ୍ଦାର ମାଲେମାଲ୍‌ ହେଉଥିବା ବେଳେ ଶ୍ରମିକମାନେ ଅସମ୍ଭାଳ ବିପଦପୂର୍ଣ୍ଣ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି । ବିଗତ ଦିନମାନଙ୍କରେ ଏଇ ଅଂଚଳର ଶ୍ରମିକମାନେ ଇଟା ଗଢ଼ିବା କାମରେ ବାହାର ରାଜ୍ୟକୁ ଯାଇ କେଉଁ ପ୍ରକାର ଦୁଃଖର ସାମ୍ନା କରିଛନ୍ତି, ତାହା ସାଧାରଣ ଜନତା ଠାରୁ ପ୍ରଶାସନ ଓ ସରକାର ଯାଏଁ ସମସ୍ତେ ସଠିକ୍‌ ଭାବେ ଜାଣନ୍ତି । ତଥାପି ଏଭଳି ଏକ କୁତ୍ସିତ ଶ୍ରମିକ ଚାଲାଣ ପରି ପରମ୍ପରାକୁ ରୋକିବା ପାଇଁ ପ୍ରଶାସନର ଆନ୍ତରିକତା ଶୂନ୍ୟ ଅବସ୍ଥା ବୁଦ୍ଧିଜୀବୀମାନଙ୍କୁ ତାଜୁବ୍‌ କରୁଛି ।

ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରୁ ଲକ୍ଷାଧିକ ଶ୍ରମିକ ଚାଲାଣ ହେଉଥିବା ବେଳେ ଶ୍ରମିକମାନଙ୍କ ଆର୍ଥିକ ସ୍ଥିତିକୁ ବଳବତ୍ତର କରିବା ପାଇଁ ନାନା ପ୍ରକାର ମାଳ ମାଳ ସରକାରୀ ଯୋଜନା ପ୍ରଣୟନ କରିଛନ୍ତି ସରକାର । କିନ୍ତୁ ଦୁଃଖର ବିଷୟ ଯେ, ଏହି ଯୋଜନା ସବୁ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ନଯିବା ପାଇଁ କୌଣସି ପ୍ରକାର ଖୋରାକ୍‌ ଯୋଗାଇ ପାରୁନାହିଁ । ପଡେ଼ାଶୀ ରାଜ୍ୟରୁ ଇଟାଭାଟି ମାଲିକମାନେ ଆସି ଏବେ ବେଲପଡ଼ା, କଂଟାବାଂଜି ଅଂଚଳରେ ଡେରା ପକାଇଥିବା ମଧ୍ୟ ଜଣାପଡ଼ୁଛି । କିନ୍ତୁ ପ୍ରଶାସନର ଅପାରଗତା ଯୋଗୁଁ ଶ୍ରମିକ ଚାଲାଣକାରୀ ସର୍ଦ୍ଦାର ଯେଭଳି ବିନ୍‌ଦାସ୍‌, ଏହି ଇଟାଭାଟି ମାଲିକମାନେ ମଧ୍ୟ ସେଭଳି ନିର୍ଭୟରେ ସର୍ଦ୍ଦାରମାନଙ୍କ ମାଧ୍ୟମରେ ଶ୍ରମିକ ଯୋଗାଡ଼ରେ ଲାଗି ପଡ଼ିଛନ୍ତି । ପାଟଣାଗଡ଼, ବେଲପଡ଼ା, କଂଟାବାଂଜି, ତୁରେକେଲା, ଖପ୍ରାଖୋଲ, ଲାଠୋର ଆଦି ଅଂଚଳରୁ ପ୍ରତ୍ୟହ ଶ୍ରମିକ ଚାଲାଣ ଚାଲିଥିବା ସୂଚନା ମିଳୁଛି । ଅନ୍ୟପକ୍ଷରେ କଂଟାବାଂଜି ରେଳ ଷ୍ଟେସନରେ ଦାଦନ ଶ୍ରମିକଙ୍କ ଭିଡ଼ ବେଶ୍‌ ଜମୁଛି । କିନ୍ତୁ ଏଥିପ୍ରତି ପ୍ରଶାସନର ନଜର ନପଡ଼ିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.