ରାସ୍ତା ମରାମତି ପାଇଁ ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ କାଉନସିଲର୍‌ଙ୍କ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ପ୍ରତି ବର୍ଷ ଗାଁକୁ ସହର ସହ ଯୋଡ଼ିବା ପାଇଁ ତଥା ରାସ୍ତା ଗୁଡ଼ିକର ମରାମତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଳେ କେତେବେଳେ ଯୋଜନା ହରିଲୁଟ ହେଉଛି ତ କେତେବେଳେ ପ୍ରସାଶନର ଅଣଦେଖା ନୀତି ଯୋଗୁଁ ଠିକାଦାର ମାନଙ୍କର ପକେଟ ଗରମର ପନ୍ଥା ପାଲିଟିଛି । ଏ ନେଇ ବାରମ୍ବାର ଅଭିଯୋଗ ହେଉଥିବା ସତ୍ବେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଆଖି ଦୃଶିୟା ଜଣାପଡୁନାହିଁ । ଏ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଶୀଘ୍ର ଏହି ଦାବୀଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ପଦ୍ମପୁର ୱାର୍ଡ଼ ନମ୍ବର-୨ର ଯୁବ କାଉନସିଲର୍ ଇଂଜିନିୟର କୁନାଲ ପାଣିଗ୍ରାହୀ । ସୂଚନା ଅନୁସାରେ ୱାର୍ଡ଼ ନମ୍ବର-୨ର ସରକାରୀ ଡ଼ାକ୍ତରଖାନାଠାରୁ ଲଖମରା ରୋଡ଼ ପର୍ଯ୍ୟନ୍ତ ପଦ୍ମପୁରର ମୁଖ୍ୟ ଭେଉଁରିଆ ଛକରୁ ଶାନ୍ତିନଗର ମଧ୍ୟଦେଇ ପୂର୍ତ୍ତ ବିଭାଗ ଦ୍ୱାରା ପାଞ୍ଚ ମାସ ତଳେ ମରାମତି ହୋଇଥିବା ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲିଟିଛି । ବିଭିନ୍ନ‌ ଗ୍ରାମରୁ ଶାନ୍ତିନଗର ମଧ୍ୟ ଦେଇ ପଦ୍ମପୁରକୁ ଆସୁଥିବା ଏହି ରାସ୍ତା ୫୦ ଖଣ୍ଡ ଗ୍ରାମର ଜନସାଧାରଣଙ୍କ ପାଇଁ ଜୀବନ ଜୀବିକାର ସାଧନ ହୋଇଥିବା ବେଳେ ଛାତ୍ରଛାତ୍ରୀ ତଥା ସ୍ୱାସ୍ଥ୍ୟ ଜନିତ ରୋଗୀଙ୍କ ପାଇଁ ସ୍କୁଲ ତଥା ଚିକିତ୍ସାଳୟକୁ ଯିବା ପାଇଁ ଏହି ରାସ୍ତା ମୁଖ୍ୟ ସାଧନ ହୋଇଛି । ତେବେ ଗାତ ଖାଲ ଯୋଗୁଁ ପ୍ରତିଦିନ ଦୁର୍ଘଟଣା ତଥା ଏମ୍ବୁଲେନସ ଯିବା ଆସିବାରେ ଅସୁବିଧା ହେଉଛି । ଅନ୍ୟପଟେ ବର୍ତ୍ତମାନ ବର୍ଷା ସମୟ ହୋଇଥିବା ବେଳେ ରାସ୍ତାର ଗାତ ଗୁଡ଼ିକ ପାଣିରେ ପରିପୂର୍ଣ୍ଣ ରହୁଛି । ଫଳରେ ରାସ୍ତା ଆହୁରି ଖରାପ ହେବାରେ ଲାଗିଛି । ଏଣୁ ଜନସାଧାରଣଙ୍କ ହିତ ତଥା ସରକାରୀ ସାଧନର ସୁରକ୍ଷା ନିମନ୍ତେ ଏହି ରାସ୍ତାର ଶୀଘ୍ର ମରାମତି ପାଇଁ ପଦ୍ମପୁରର ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ମାଧ୍ୟମରେ ଜଣାଇଛନ୍ତି ପଦ୍ମପୁର ୱାର୍ଡ଼ ନମ୍ବର -୦୨ର ଯୁବ କାଉନସିଲର୍ ଇଂଜିନିୟର କୁନାଲ ପାଣିଗ୍ରାହୀ । ଶୀଘ୍ର ଏହି ରାସ୍ତାର ମରାମତି କରାନଗଲେ ଜନ ଅସନ୍ତୋଷ ଓ ଜନ ଆକ୍ରୋଶରେ ପରିଣତ ହେବାର ସମ୍ଭାବନା ରହିଥିବାରୁ ଶୀଘ୍ର ଏହି ସମସ୍ୟାର ସମାଧାନ ପ୍ରତି ପ୍ରଶାସନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଜଣାଇଛନ୍ତି ଯୁବ କାଉନସିଲର୍ । ତେବେ ଦେଖିବା ବାକି ରହିଲା ବିଭାଗୀୟ ଅଧିକାରୀ ଏହି ସମସ୍ୟାକୁ କେତେ ଶୀଘ୍ର ଗୁରୁତ୍ୱ ଦେବା ସହ ସମାଧାନର ବାଟ କାଢ଼ିବେ । ଏହି ଦାବୀପତ୍ର ଦେବା ସମୟରେ ନରେଶ ସୁନ୍ଦର ସାହୁ, ମଣ୍ଟୁ ପାଣ୍ଡେ, ଦିନେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.