ସାଉଣ୍ଡ ଓ ଲାଇଟ୍‌ ଆସୋସିଏସନ୍‌ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ସାଉଣ୍ଡ ଓ ଲାଇଟ ଆସୋସିଏସନ୍‌ର ସମସ୍ତ କାର୍ଯ୍ୟକର୍ତା ମାନେ ଲିଖିତ ଆକାରରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ, ବିଗତ ବର୍ଷ ୨୦୨୦ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ମହାମାରୀ ହୋଇଥିବା ଯୋଗୁଁ ସରକାରଙ୍କ(କୋଭିଡ-୧୯) ସମସ୍ତ ନିୟମ ମାନି ଆମ ସଂଘର ସବୁ ମାଲିକ ମାନେ ନିଜ ନିଜର ବ୍ୟବସାୟ ବନ୍ଦ କରିଛନ୍ତି । ଯାହା ଦ୍ୱାରା ସେମାନେ ଦୀର୍ଘ ଦିନ ହେଲା ବିଭିନ୍ନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିଲେଣି । ଅଧିକାଂଶ ମାଲିକ ମାନେ ସାଉଣ୍ଡର ଯନ୍ତ୍ରପାତି ପାଇଁ କରିଥିବା ବ୍ୟାଙ୍କ ଋଣ ସହିତ ଗାଡିର କିସ୍ତି ଟଙ୍କା କିପରି ପରିଶୋଧ କରି ପାରୁନାହାନ୍ତି । ସେମାନଙ୍କ ପାଖରେ ଅନେକ ଶ୍ରମିକ ମାନେ କାମ କରି ତାଙ୍କ ପରିବାରର ଭରଣ ପୋଷଣ କରୁଥିଲେ । ବର୍ତମାନ ସେମାନଙ୍କ ବ୍ୟବସାୟ ବନ୍ଦ ଥିବାରୁ ତାଙ୍କ ପାଖରେ କାମ କରୁଥିବା ଶ୍ରମିକ ମାନେ ଜୀବିକା ହରାଇ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଧୀରେ ଧୀରେ ଦୋକାନ ବଜାର ଏବଂ ବିଭିନ୍ନ ବଡ଼ବଡ଼ ମଲ୍, ସୋପିଙ୍ଗ ମଲ, ମଦ ଦୋକାନ, ରେଷ୍ଟୁରାଣ୍ଟ, ଗାଡ଼ି ମଟର ଏପରି ଅନେକ ବ୍ୟବସାୟ ଭିତ୍ତିକ ଅନୁଷ୍ଠାନ ଖୋଲିସାରିଲାଣି । ଏପରିକି ବିବାହ କାର୍ଯ୍ୟ ଓ ପର୍ବ ପର୍ବାଣି ମଧ୍ୟ ଅନୁଷ୍ଠିତ ହୋଉଛି । ତାଙ୍କର ବ୍ୟବସାୟ ରତୁକାଳୀନ ହୋଇଥିବା ବେଳେ କେବଳ ବାହାଘର ଏବଂ ପର୍ବ ପର୍ବାଣି ଉପରେ ନିର୍ଭରଶୀଳ ଥାଆନ୍ତି । ଏଣୁ ଲାଇଟ୍ ଓ ସାଉଣ୍ଡ ମାଲିକ ସଂଘ ତଥା କର୍ମଚାରୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ପୂର୍ବକ ସରକାରୀ ସ୍ତରରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ସେମାନଙ୍କ ବ୍ୟବସାୟ କାର୍ଯ୍ୟ ତୁଲାଇବା ପାଇଁ ଅନୁମତି ଦେବାକୁ ଦାବୀ କରିଥିଲେ । ଆଜି ଲାଇଟ୍ ଓ ସାଉଣ୍ଡ ଏସୋସିଏସନ୍‌ର ସଦସ୍ୟ ମାନେ ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାଶୁଣି ମନ୍ଦିରରୁ ବାଜା ଓ ଡିଜେ ଧରି ଏକ ବିଶାଳ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଲାଇଟ୍ ଓ ସାଉଣ୍ଡ ଏସୋସିଏସନ୍‌ ସହିତ ମୁରିବହାଲ ବ୍ଲକ, ବଙ୍ଗୋମୁଣ୍ଡା ବ୍ଲକ, କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ଭବାନିପାଟଣା, ଉତ୍କେଳା ଆଦିର ଲାଇଟ୍ ଓ ସାଉଣ୍ଡ ଏସୋସିଏସନ୍‌ ସହିତ ବାଜା ମାଲିକ ସଂଘ ସାମିଲ ଥିଲେ । ଭାରତୀୟ ଜାତୀୟ ଟ୍ରେଡ ୟୁନିୟନ କଂଗ୍ରେସର ଟିଟିଲାଗଡ ସଭାପତି ଅଭି ବାଗ ଉପସ୍ଥିତ ରହି ସମର୍ଥନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନିସ ସୁନା, ସୀମାନ୍ ଜାଲ, ରଶିକ ପୋଡ, ତ୍ରିଲୋଚନ ନାୟକ, ମୁରଲୀ ପଟେଲ, ନାରାୟଣ ବଗର୍ତ୍ତି ସହିତ ଅନେକ ସଦସ୍ୟ ଓ ବାଜା ମାଲିକ ସଂଘର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.