କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପ୍ରତିବାଦରେ ତଥା ପରୀକୁ ନ୍ୟାୟ ଦାବିରେ ଲୋଇସିଂହା ବିଜେପିର ପଦଯାତ୍ରା ଓ ଦାବିପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)କୁ ହଡପ ଓ ଚଂଚକତା କରି ନିଜସ୍ୱ ଯୋଜନାରେ ଘର ନିର୍ମାଣ ହେଉଛି । ରାଜ୍ୟ ସରକାର ନିଜ ଷ୍ଟିକର ଦେଇ ଏହି ଯୋଜନାର ବାହାବା ନେଉଥିବା ବେଳେ କେନ୍ଦ୍ର ସରକାର ହିଁ ଏହି ଯୋଜନାର ପ୍ରଣୟନକର୍ତ୍ତା । ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଥିବା ନବୀନ ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି । ଏଥିସହିତ ନୟାଗଡ଼ ପରୀ ହତ୍ୟା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ସହିତ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲୋଇସିଂହା ବିଜେପି ପକ୍ଷରୁ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ୨ଠ୨୨ ମସିହା ସୁଦ୍ଧା ଦେଶର ସବୁ ଯୋଗ୍ୟ ପରିବାରଙ୍କୁ ଆବାସ ପ୍ରଦାନ କରିବା ହେଉଛି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଜାତୀୟ ଫ୍ଲାଗସିପ୍ ଯୋଜନା । ହେଲେ ରାଜ୍ୟ ସରକାର ନିଜେ ବ୍ରାଣ୍ଡିଂ କରି ରାଜ୍ୟବାସୀଙ୍କୁ ଭ୍ରମିତା କରିବା ସହ ଅଧିକାଂଶ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ପାଇବାରୁ ବଂଚିତ କରୁଥିବା ବିଜେପି ଅଭିଯୋଗ କରିଛି । ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି ଏବଂ ଅନେକଙ୍କ ଠାରୁ ଉତ୍କୋଚ ଦାବି କରାଯାଉଥିବା ଅଭିଯୋଗ ହେଉଛି । ପୁଣି ଓଡ଼ିଶା ସରକାରଙ୍କ ପଂଚାୟତିରାଜ ବିଭାଗର ୱେବ୍ ସାଇଟ୍‌ରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ନ କରି ସରକାର ଦୁର୍ନୀତିର ଗଳାବାଟ ଖୋଲି ଦେଇଛନ୍ତି । ଅପରପକ୍ଷରେ ନୟାଗଡ଼ର ନିରୀହ ଶିଶୁ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କର ଇସ୍ତଫା ଦାବି କରିବା ସହିତ ମାମଲାକୁ ସିବିଆଇକୁ ହସ୍ତାନ୍ତର ପାଇଁ ଦାବି କରିଛି ବିଜେପି । ଏ ନେଇ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ତଥା ଜନସାଧାରଣ ଲୋଇସିଂହା ବିଡିଓଙ୍କ ପାଖକୁ ଯାଇ ନିଜର ୬ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଯୋଗ୍ୟ ହିତାଧିକାରୀ ମାନଙ୍କୁ ପଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରିବା ତଥା କେନ୍ଦ୍ରର ଯୋଜନାକୁ ରାଜ୍ୟ ସରକାର ହଡପ କରିବାର ମନୋବୃତ୍ତିରୁ କ୍ଷାନ୍ତ ରୁହନ୍ତୁ ବୋଲି ବିଜେପି ଦାବି କରିଛି । ଏହି କାର୍ୟ୍ୟକ୍ରମରେ ବିଜେପି ମଣ୍ଡଳ ସଭାପତି ସରୋଜ ସାହୁ, ଗୌରାଙ୍ଗ ନାଏକ, ରାଜୁ ସାହୁ, ଜ୍ୟୋତିର୍ମୟ ରାଉତ, ଶଙ୍କର ସାହୁ, ସାଇଦେଵ ପଟେଲ, ରଘୁ ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.