
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀବନ୍ଧ, କରଗାଁକଣ୍ଟାର ଦୁର୍ବଳ କାମ ଓ ସହରରେ ହେଉଥିବା ସଫେଇ ଦୁର୍ନୀତିକୁ ନେଇ ଆଜି ବଲାଙ୍ଗିର ନଗର କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ପୌର ପରିଷଦର ଅପାରଗତା ଓ ଦୁର୍ନୀତ ବିରୁଦ୍ଧରେ ଗର୍ଜିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏ ଏସଂକ୍ରାନ୍ତୀୟ ଏକ ଦାବୀପତ୍ର ପ୍ରଦାନ କରିଛି । ନଗର ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ଶ୍ରୀ ଦାନୀ କହିଛନ୍ତି ଯେ, ବିଧାୟକ ନରସିଂହ ମିଶ୍ରଙ୍କ ଉଦ୍ୟମ ବଳରେ ୨୯ ଗୋଟି ପୌର ରାସ୍ତା ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରି ସୁନ୍ଦର ରାସ୍ତାରେ ପରିଣତ କରାଯାଇଥିଲା । ଲୋକଙ୍କ ପିଇବା ପାଣି ସୁବିଧା ପାଇଁ ବିଧାୟକ ପାଣ୍ଠିରୁ ଟେଙ୍କର ଯୋଗେ ପାଣି ଯୋଗଇ ଦିଆଯାଇଥିଲା । ୧୬ ଗୋଟି ବନ୍ଧକଣ୍ଟାର ଉନ୍ନତି ପାଇଁ ସରକାରଙ୍କ ସହ ଲଢେଇ କରି ଅନୁଦାନ ଅଣାଯାଇଥିଲା । କିନ୍ତୁ ବର୍ତ୍ତମାନର ପୌରପରିଷଦ ସେ ସମସ୍ତ ରାସ୍ତାରେ ଡମ୍ପିଂୟାର୍ଡ କରି ଅବର୍ଜନା କୁଣ୍ଡରେ ପରିଣତ କରିଛି । ବନ୍ଧକଣ୍ଟାର ଉନ୍ନତି କରିବା ପରିବର୍ତ୍ତେ ସେଠାରେ ଚାଲିଥିବା କାମରେ ପିସି କାରବାର କରି ଲୋକଙ୍କ ପଇସାକୁ ଲୁଟ୍ କରୁଛନ୍ତି ତେଣୁ ଏସବୁ ଦୁର୍ନୀତି କାର୍ଯ୍ୟକଳାପ ଉପରେ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନଗର ସଭାପତି ବୁଲୁ ଦାନୀ ନିଜ ବକ୍ତବ୍ୟରେ କହିଛନ୍ତି । ବିଧାୟକଙ୍କ ପୌର ପ୍ରତିନିଧି ଅଜୟ ବାଲି ବର୍ତ୍ତମାନର ପୌର ପରିଷଦକୁ ତିବ୍ର ସମାଲୋଚନା କରିବା ସହ କହିଥିଲେ ଯେ, ରାଣୀବନ୍ଧ ଓ କରଗାଁକଣ୍ଟା ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସିଥିଲେ ହେଁ ନିର୍ମାଣ କାମକୁ ଏପରି ଡିଜାଇନ କରାଯାଇଛି ଯେଉଁଥିରେ ଅର୍ଥ ବାଟମାରଣାର ବାଟ ବାହାରିବ । ଜଳାଶୟର ପୁନଃଉଦ୍ଧାର ପାଇଁ ପଙ୍କ ଉଦ୍ଧାର ଅନିବାର୍ଯ୍ୟ ହୋଇଥିବା ବେଳେ ଠିକାଦାର ସହିତ ସଲା ସୁତୁରା କରି କେବଳ ଗାର୍ଡୱାଲ ନିର୍ମାଣ କରି କାମ ସାରି ଦିଆଯାଉଛି । ପୌର ପରିଷଦର ପ୍ରରୋଚନାରେ ଟେଣ୍ଡର ପ୍ରକ୍ରିୟାକୁ ଏପରି ଭାବେ ପରିଛଳନା କରାଯାଉଛି, ଯେପରି ଜଣେ ନିର୍ଦ୍ଦିଷ୍ଟ ଠିକାଦାର ହିଁ ସେହି କାମ ହାତେଇବ । ଯଦ୍ୱାରା ସେ ଜଣେ ଠିକାଦାର ପୌର ପରିଷଦ ସହ ମିଶି ସହରରେ ଚାଲିଥିବା ବହୁ କୋଟି ଟଙ୍କାର କାମ ହାତେଇ ସାଧାରଣ କରଦାତାଙ୍କ କଷ୍ଟ ଅର୍ଜିତ ଅର୍ଥ ଲୁଟ କରୁଛି । ପରିସ୍ଥିତି ବିଗିଡିବା ଆଗରୁ ଜିଲ୍ଲାପାଳ ଉପରୋକ୍ତ ଘଟଣାରରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ବାଲି ଦାବୀ କରିଥିଲେ । ସହରକୁ ସଫା ସୁତୁରା ଓ ଆବର୍ଜନା ପରିଚାଳନା ପାଇଁ ପୌର ପରିଷଦରୁ ବର୍ଷକୁ କୋଟି କୋଟି ଟଙ୍କାର ବିଲ୍ ହେଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ସହରର ୨୧ଟି ୱାର୍ଡର ପ୍ରତ୍ୟେକ ଗଳିରେ ଅବର୍ଜନା ଭର୍ତ୍ତି ହୋଇ ରହିଛି । ଆବର୍ଜନା ଉଠାଇବା ପାଇଁ ବ୍ୟବହୃତ ଅନେକ ବ୍ୟାଟେରି ଗାଡି ଗୁଡିକ ଅଚଳ ହୋଇପଡି ରହିଥିବା ବେଳେ ସେ ଗାଡି ଗୁଡିକ ଉପରେ ମଧ୍ୟ ବିଲ୍ ଉଠୁଛି । ସଦ୍ୟତମ ସରକାରୀ ରିପୋର୍ଟ ଅନୁଯାୟୀ ସହରର ୧୬ ଗୋଟି ବନ୍ଧକଣ୍ଟାର ପାଣି ମଣିଷ ବ୍ୟବହାର ଉପେଯାଗୀ ନୁହେଁ । ତେଣୁ ଲୋକେ ବାରମ୍ବାର ଭୋଟ ଦେଇ ବିଜୟୀ କରିଥିବା ନିର୍ଦ୍ଦିଷ୍ଟ ଦଳର ପୌର ପରିଷଦ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗ ଅଛି ନା ଲୋକଙ୍କୁ ମରଣଯନ୍ତା ଭିତରକୁ ଠେଲି ଦେଉଛି ଲୋକେ ତାହାର ଜବାବ ମଗନ୍ତୁ । ଆହୁରି ମଧ୍ୟ ମହାରଣୀ ସାଗର ଓ ଲକ୍ଷ୍ମୀ ଯୋରର ସଫେଇ କରିବା ପରବର୍ତ୍ତେ ଓଲଟା ଖୋଦ ପୌରପାଳିକା ଆବର୍ଜନା ପକାଇ ସେ ଅଂଚଳକୁ ଦୂଷିତ କରୁଛନ୍ତି ବୋଲି ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଉମା ପଣ୍ଡା, ଜୁଲୁ ପଟ୍ଟନାୟକ, ଛାତ୍ର ସଭାପତି, ଅଙ୍କିତ ସାହୁ, ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଆକବର ଖାନ, ନାସିର ଖାନ, ଆରତି ପ୍ରତି ନାଗ, ଟୁଲୁ ସେନ, ସମୀର କୁମ୍ବାର, କାଉନସିଲର ପ୍ରଦୀପ ମିଶ୍ର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ବଜରଙ୍ଗ ବନଛୋର, ଲୋପନ ମିଶ୍ର, ଜୟନାରାୟଣ ବହିଦାର ପ୍ରମୁଖ ନିଜ ବକ୍ତବ୍ୟରେ ପୌର ପରିଷଦର କଳା କାରନାମାକୁ ସମାଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନଗର କଂଗ୍ରେସ ତରଫରୁ ଏକ ଦାବୀପତ୍ର ସହକାରୀ ଜିଲ୍ଲାପାଳ ଦିଲିପ ମାଝିଙ୍କୁ ପ୍ରଦାନ କରାଯାଇଥିଲା ।
