ଅଲ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର ସଙ୍ଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ମା’ କାଳୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ, ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରେମ କୁମାର ପଟ୍ଟନାୟକ, ଜୟଦେବ ସେଠ, ନିରଞ୍ଜନ ସେନାପତି ଯୋଗଦେଇ ରାୟଗଡା ଜିଲ୍ଲାରେ ଠିକା ସଂସ୍ଥା (ଆଉଟସୋର୍ର୍ସିଂ) ଦ୍ଵାରା କାର୍ଯ୍ୟରତ ସିକ୍ୟୁରିଟୀ, ସଫେଇ, ହାଉସ କିପିଙ୍ଗ ଏଟେଣ୍ଡର, ଡାଟା ଏଣ୍ଟ୍ରି, ପ୍ଲାମ୍ବର, କର୍ମଚାରୀମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାର କୌଣସି ସମାଧାନ ହୋଇପାରିଲାନାହିଁ । ତେଣୁ ଆଜି ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରି ସମାଧାନ କରିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି । ଯଦି ତୁରନ୍ତ ଏହାର ସମାଧାନ କରାନଯାଏ ତାହେଲେ ଆସନ୍ତା ଦିନରେ ସମସ୍ତ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଯୋଗେଶ୍ୱର ଦାସ ପ୍ରକାଶ କରିଛନ୍ତି ।
ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ଇପିଏଫ ଏବଂ ଇଏସଆଇ ପ୍ରତ୍ୟେକ ମାସରେ ଜମା କରିବା । ପ୍ରତି ମାସରେ ଠିକ ସମୟରେ ଦରମା ଦେବା । ଦୁଇ ତିନି ମାସରେ ଥରେ ଅଲଗା ଅଲଗା ଦରମା ନଦେଇ ଠିକ୍ ସମୟରେ ଜିଲ୍ଲାରେ ସମସ୍ତଙ୍କୁ ଏକାଥରେ ଦରମା ଦେବା । ସୁରକ୍ଷା ସରଞ୍ଜାମ ଯୋଗାଇ ଦେବା । ବର୍ଷକୁ ୨ ହଳ ବିନା ମୂଲ୍ୟରେ ୟୁନିଫର୍ମ ପ୍ରଦାନ କରିବା, ପୂର୍ବତନ ଏଜେନ୍ସିର ବକେୟା ୨ ମାସର ଦରମା ପ୍ରଦାନ କରିବା, ସୁଇପରମାନଙ୍କ ଦରମା ଦେବା ସମୟରେ ଟେକ୍ସ ବାବଦରେ ୧୫୦ ଟଙ୍କା କାଟିବା ବନ୍ଦ କରାଯାଉ, ବିଶ୍ରାମ ଗୃହ ଯୋଗାଇ ଦେବା । ସୁରକ୍ଷା ପାଇଁ ସ୍ଵାସ୍ଥ୍ୟ ଏବଂ ଜୀବନ ବୀମା ଯୋଗାଇ ଦେବା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଠିକା ସଂସ୍ଥା ଦ୍ଵାରା କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କସ୍ତୁରୀ ନାୟକ, ସୁରେଶ ଚନ୍ଦ୍ର ସାହୁ, ମାଣିକ ରାଓ ମଣ୍ଡଙ୍ଗି, ଗୋବିନ୍ଦ କଣ୍ଡାଗିରୀ, କାହ୍ନୁ ଲାବଲା, ସୁରୀୟା କାନ୍ତି ବାଗ, ୱଇ କବିତା, ମନୋରଞ୍ଜନ ହିମରିକା, ରବିନ୍ଦ୍ର ମାଝୀ ପ୍ରମୁଖ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।