କମରଲଗା ଗାଁରେ ପାନୀୟ ଜଳ ସଙ୍କଟ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

  • ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଗୁରୁତର ରୂପ ନେଇଥିବା ବେଳେ, ସଇଁତଲା ବ୍ଲକର କୁଇକେଡ଼ା ପଂଚାୟତ ଅଧୀନସ୍ଥ କମରଲଗା ଗାଁରେ ଏହି ସମସ୍ୟା ଏବେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ପହଞ୍ଚିଛି । ଗ୍ରୀଷ୍ମଋତୁ ଆରମ୍ଭ ହେବା ସହିତ ଜଳସ୍ତର କ୍ରମେ ନିମ୍ନମୁଖୀ ହେଉଥିବାରୁ ଗାଁରେ ପାନୀୟ ଜଳ ଅଭାବ ଚରମ ସୀମାକୁ ଛୁଇଁଛି । ଏହାର ପରିଣାମରେ ଗାଁ ଲୋକେ ଦୈନିକ ଜୀବନରେ ଅନେକ ଅସୁବିଧା ଭୋଗୁଥିବା ସହିତ ପାଣି ପାଇଁ ହାହାକାର ସୃଷ୍ଟି ହୋଇଛି । ଗାଁରେ ମୋଟ ୬ଟି ନଳକୂପ ରହିଥିଲେ ମଧ୍ୟ ତାହାରୁ ୩ଟି ନଳକୂପ ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି । ଫଳସ୍ୱରୂପ ଅବଶିଷ୍ଟ ୩ଟି ନଳକୂପ ଉପରେ ସମସ୍ତ ଗାଁବାସୀ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ସକାଳ ସମୟରେ ଲୋକମାନେ ଲମ୍ବା ଲାଇନ ଲଗାଇ ସ୍ଥାନୀୟ ନଦୀରୁ ପାଣି ଆଣୁଥିବା ଦୃଶ୍ୟ ଏଠାରେ ସାଧାରଣ ଘଟଣା ହୋଇପଡ଼ିଛି । ବିଶେଷ କରି ମହିଳାମାନେ ଓ ବୃଦ୍ଧମାନେ ଦୂର ଦୂରନ୍ତରୁ ପାଣି ବୋହି ଆଣିବାରେ ଦୁର୍ଭୋଗ ଭୋଗୁଛନ୍ତି । ଅନ୍ୟପଟେ, ସରକାରଙ୍କ ବସୁଧା ଯୋଜନା ଅଧୀନରେ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସେହି ବ୍ୟବସ୍ଥା ବର୍ତ୍ତମାନ ପ୍ରାୟ ଅକାର୍ଯ୍ୟକାରୀ ହୋଇପଡ଼ିଛି । ଅନେକ ସ୍ଥାନରେ ପାଇପ ଫାଟିଯାଇଥିବାରୁ ପାଣି ଲିକ୍‌ ହେଉଛି ଏବଂ ଏହାର ମରାମତି କରାଯାଇନଥିବା ନେଇ ଗାଁବାସୀ ଅଭିଯୋଗ କରିଛନ୍ତି । ଫଳରେ ନଳ ଯୋଗେ ପାଣି ଯୋଗାଣ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେଉଛି । କେତେକ ଘରକୁ ମାସ ମାସ ଧରି ପାଣି ପହଞ୍ଚୁନଥିବାରୁ ଲୋକମାନେ ବିକଳ୍ପ ବ୍ୟବସ୍ଥା ଖୋଜିବାକୁ ବାଧ୍ୟ ହେଉଛନ୍ତି । ବିଭାଗୀୟ ଅଧିକାରଙ୍କ ଅବହେଳା ଯୋଗୁଁ ଲୋକଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି । ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଶୀଘ୍ର ଅଚଳ ନଳକୂପଗୁଡ଼ିକୁ ମରାମତି କରି ସଚଳ କରିବା ସହିତ ପାଇପ ଲାଇନର ତ୍ରୁଟି ସୁଧାର କରିବାକୁ ଦାବି କରିଛନ୍ତି ତଥା, ଗ୍ରୀଷ୍ମଋତୁରେ ଅସ୍ଥାୟୀ ଭାବେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରିବାକୁ ମଧ୍ୟ ସେମାନେ ଅନୁରୋଧ କରିଛନ୍ତି । ଗାଁବାସୀଙ୍କ କହିବା ଅନୁଯାୟୀ, ପାଣି ଅଭାବରେ ସେମାନଙ୍କର ଦୈନନ୍ଦିନ ଜୀବନ ବ୍ୟାହତ ହେଉଛି । ରୋଷେଇ କରିବା, ପରିଷ୍କାର ପରିଚ୍ଛନ୍ନତା ରଖିବା ଏବଂ ପଶୁପାଳନ ପାଇଁ ମଧ୍ୟ ପାଣି ଅଭାବ ଭୟାବହ ପ୍ରଭାବ ପକାଉଛି । ଛୋଟ ଛୋଟ ଶିଶୁମାନେ ଓ ବୃଦ୍ଧମାନେ ଅସୁସ୍ଥ ହେବାର ସମ୍ଭାବନା ମଧ୍ୟ ବଢ଼ିଛି । ଏହିପରି ପରିସ୍ଥିତି ଚାଲିଥିଲେ ଆଗାମୀ ଦିନରେ ସମସ୍ୟା ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି । ଏନେଇ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା ଗାଁବାସୀଙ୍କୁ ଆଶ୍ୱାସନ ଦେଇ କହିଛନ୍ତି ଯେ, ସମସ୍ୟାର ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ । ଅଚଳ ନଳକୂପଗୁଡ଼ିକୁ ମରାମତି କରାଯିବା ସହିତ ପାଇପ ଲାଇନର ତ୍ରୁଟି ସୁଧାର କରାଯିବ ବୋଲି ସେ କହିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଗାଁର ଅନିଲ କୁମାର ଦୀପ, ଲେଖ କୁମ୍ଭାର, ପ୍ରଦୀପ ଦୀପ, ମୁନି ବାଗ, ଭାଗ୍ୟ ମହାନନ୍ଦ, ଗୋପୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.