ହମିରପୁରରେ ସରକାରୀ ହସ୍ପିଟାଲ ଖୋଲିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ରାଉରକେଲା ଗସ୍ତ ଅବସରରେ ହମିରପୁର ଠାରେ ଏକ ଅର୍ବାନ ପ୍ରାଇମେରୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ହମିରପୁର ଉନ୍ନୟନ ପରିଷଦ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । ୨୦ ହଜାର ବିଶେଷ କରି ଗରିବ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ହମିରପୁର ସୁନ୍ଦରଗଡ଼ ଜିଲ୍ଲାର ପୂରାତନ ରାଜସ୍ୱ ଗ୍ରାମ ଥିଲା । ପରବର୍ତୀ ସମୟରେ ଏହା ପଂଚାୟତ ଓ ପରେ ଏନ୍‌ଏସ୍‌ସି ଅଧୀନକୁ ଆସିଲା । ୧୯୯୪ ମସିହାରେ ଇଣ୍ଡଷ୍ଟ୍ରିଆଲ ଟାଉନ ଘୋଷଣା ପରେ ରାଉରକେଲା ଇସ୍ପାତ କାରଖାନା ଅଧୀନକୁ ଆସିଲା, କିନ୍ତୁ୧୯୯୮ ମସିହାରେ ଇସ୍ପାତ କାରଖାନା ଏଥିରୁ ଓହରି ଯିବାରୁ ଗ୍ରାମରେ କୌଣସି ଉନ୍ନତି ମୂଳକ କାମ ନହେବାରୁ ଗ୍ରାମବାସୀ ମାନେ ମୌଳିକ ସୁବିଧା ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ, ବିଜୁଳି ଆଲୁଅ, କଣ୍ଟ୍ରୋଲ ସାମଗ୍ରୀ ଆଦିରୁ ୁବଂଚିତ ହୋଇ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ଗ୍ରାମବାସୀଙ୍କ ଅନୁରୋଧ ଫଳରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ୨୦୧୮ ମସିହାରେ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ହମିରପୁରର ମେରିଅମ ଛକ ପାଖରେ ସାଢେ ୮ ଡ଼େସିମିଲ ଜମି ମ୍ୟୁନିସିପାଲଟିକୁ ହସ୍ତାନ୍ତର କଲେ । ସେଠାରେ କାମ ଚାଲୁଥିଲା ବେଳେ ପୂର୍ବତନ ଜମି ମାଲିକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେଣୁ ଗୋଟିଏ ଭଡ଼ା ଘରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଅର୍ବାନ ପ୍ରାଇମେରୀ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲୁଥିଲା । କିନ୍ତୁ ଦୁଃଖର କଥା ସେହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛଞ୍ଚକତା କରି ସେକ୍ଟର ୧୬କୁ ସ୍ଥାନାନ୍ତରିତ କରି ଦିଆଗଲା । ଯାହାଫଳରେ ହମିରପୁର ଓ ପାର୍ଶ୍ଵବର୍ତ୍ତୀ ଅଂଚଳର ପ୍ରାୟ ୩୦ ହଜାରରୁ ଅଧବକ ଗରିବ ଆଦିବାସୀ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହୋଇ ନିଜ କର୍ମକୁ ଆଦରି ଅସହାୟ ହୋଇ ପଡିଛନ୍ତି । ତେଣୁ ପୁନର୍ବାର ଏକ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ହମିରପୁର ଉନ୍ନୟନ ପରିଷଦର ସଭାପତି ଡକ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ନିରଞ୍ଜନ ଦାସ, ବେନେଡିକ୍ ଲାକଡ଼ା, କଞ୍ଜ ବିହାରୀ ରାଉତ, ଆଲୋକ ମହାନ୍ତି, ନିରଞ୍ଜନ ନାୟକ, ଅଗସ୍ତି ଦାସ, ବିଷ୍ଣୁ ନାୟକ, ମହେନ୍ଦ୍ର ପଣ୍ଡିତ ଓ ଅନ୍ୟମାନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ରାଉରକେଲା ହାଉସ୍‌ ଠାରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏ ବିଷୟରେ ସ୍ଥାନୀୟ ବିଧାୟକ ଦୁର୍ଗା ଚରଣ ତନ୍ତି ମଧ୍ୟ ଅନୁରୋଧ ପତ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ମନ୍ତ୍ରୀ ମହୋଦୟ ଅତି ଶୀଘ୍ର ଏ ବିଷୟରେ ଆଲୋଚନା କରି ନୁଆ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାର ପ୍ରତିଶୃତି ଦେଇଥିଲେ ।

jittmm
Leave A Reply

Your email address will not be published.