ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଧାୟକ ପ୍ରତିନିଧିଙ୍କ ଦାବିପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ ) : ବିଶ୍ରା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କାର୍ଯ୍ୟରତ ଶିଶୁ ରୋଗ ବିଭାଗର ଜନୈକ ଡାକ୍ତରଙ୍କ ବିରୁଦ୍ଧରେ ଗତ କିଛି ଦିନ ହେବ ବିଶ୍ରା ତଥା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଜନସାଧାରଣଙ୍କ ଅଭିଯୋଗ ଏବଂ ସରପଞ୍ଚ ସୁରଜ ନାୟକଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ କାର୍ଯ୍ୟରତ ଡାକ୍ତର ଅନେକ ଦିନ ହେବ ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହିତ ଉଚିତ୍ ଚିକିତ୍ସା ସୁବିଧା ଦେବାରେ ଅବହେଳା କରୁଛନ୍ତି । ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତା ଓ ତାଗିଦ୍ ସତ୍ତ୍ୱେ ଉକ୍ତ ଡାକ୍ତରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ନ ଦେଖା ଦେବାରୁ, ସେମାନେ ବିଶ୍ରା ସରପଞ୍ଚଙ୍କ ମାଧ୍ୟମରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀଙ୍କୁ ଏନେଇ ଅଭିଯୋଗ କରିବା ସହିତ ଅବଗତ କରାଇଥିଲେ । ଜନସାଧାରଣଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟରତ ଡାକ୍ତରଙ୍କୁ ବଦଳି ପାଇଁ ଦାବି ଯୋର ଧରିଛି । ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ପ୍ରତିନିଧି ତାପସ କୁମାର ଘୋଷାଲ ଏକ ଦାବିପତ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କୁ ତାଙ୍କ ରାଉରକେଲା ଗସ୍ତ ସମୟରେ ପ୍ରଦାନ କରିବା ସହିତ ଉକ୍ତ ଶିଶୁ ରୋଗ ଡାକ୍ତରଙ୍କ ଶୀଘ୍ର ବଦଳି ପାଇଁ ଅନୁରୋଧ କରିଛନ୍ତି । ଡାକ୍ତର ମାନେ ଦେବ ତୁଲ୍ୟ ଏବଂ ଜଣେ ଡାକ୍ତର ଧର୍ଯ୍ୟର ସହିତ ରୋଗୀ ସେବା କରିବା ଉଚିତ୍ ଅପର ପକ୍ଷରେ ଡାକ୍ତରଙ୍କର ଅଶାଳୀନ ବ୍ୟବହାର ତଥା ଅଭଦ୍ରାମୀ ରୋଗୀ ତଥା ତାଙ୍କ ପରିବାବର୍ଗଙ୍କୁ ଗଭୀର ଆଘାତ ଦେଉଥିବା ବେଳେ ବାରମ୍ବାର ଏ ନେଇ ଡାକ୍ତରଙ୍କୁ ତାଗିଦ୍ ସହିତ ଆଲୋଚନା ମାଧ୍ୟମରେ କିଛି ସୁଫଳ ନ ମିଳିବାରୁ ଜନସାଧାରଣଙ୍କ ପକ୍ଷରୁ ବୀରମିତ୍ରପୁର ବିଧାୟକଙ୍କ ପ୍ରତିନିଧିଙ୍କ ମାଧ୍ୟମରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ର ଦ୍ୱାରା କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.